Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Das

Classics

3  

Prasanna Kumar Das

Classics

ଶ୍ରୀଜଗନ୍ନାଥ ଅଷ୍ଟକମ୍

ଶ୍ରୀଜଗନ୍ନାଥ ଅଷ୍ଟକମ୍

5 mins
165


 (ଭାବାନୁଵାଦ)କଦାଚିତ୍-କାଳିନ୍ଦୀ ତଟଵିପିନ ସଂଗୀତକରଵୋ

ମୁଦାଭୀରୀ ନାରୀଵଦନ କମଳାସ୍ଵାଦମଧୁପଃ ।

ରମାଶମ୍ଭୁବ୍ରହ୍ମା ମରପତି- ଗଣେଶାର୍ଚିତ ପଦୈ ।

ଜଗନ୍ନାଥଃ ସ୍ଵାମୀ ନୟନପଥଗାମୀ ଭଵତୁ ମେ॥ ୧॥


ହେ' ଲୀଳାମୟ, ଯେତେଵେଳେ ଆପଣ ପୂଣ୍ୟତୋୟା କାଳିନ୍ଦୀ ତଟସ୍ଥିତ ନିକୁଞ୍ଜଵନରେ ମୋହନ ମୂରଲୀ ରେ ସୁମଧୁର ତାନ ଦେଇ ସଂଗୀତ ସର୍ଜନ କରନ୍ତି। ସେକାଳରେ ଵିମୋହିତା ଗୋପାଙ୍ଗନା ମାନେ ଆପଣଙ୍କ ମୁଖ ଅରବିନ୍ଦର ଦର୍ଶନ କରି ବିମୁଗ୍ଧ ହୁଅନ୍ତି, ସତେ ଯେପରି ଭ୍ରମରେଶ୍ରେଣୀ ସଦ୍ୟ ପ୍ରସ୍ଫୁଟିତ କମଳର ମକରନ୍ଦରସ ଆସ୍ବାଦନରେ ବିମୋହିତ ହୋଇଥାନ୍ତି। ଯେଉଁ ପ୍ରଭୁଙ୍କର ଶ୍ରୀଚରଣ ରମା ଶମ୍ଭୁ ବ୍ରହ୍ମା ଇନ୍ଦ୍ର ଓ ଶ୍ରୀଗଣପତିଙ୍କ ଦ୍ବାରା ସଦୈଵ ସେଵିତ, ସେହି ଜଗନ୍ନାଥ ସ୍ବାମୀ ମୋର ପଥ ପ୍ରଦର୍ଶକ ହୋଇ ଶୁଭଦୃଷ୍ଟି ଦେବାର କୃପା କରନ୍ତୁ।


ଭୁଜେ ସଵ୍ୟେ ଵେଣୁଂ ଶିରସି ଶିଖିପିଛଂ କଟିତଟେ

ଦୁକୂଳଂ ନେତ୍ରାନ୍ତେ ସହଚରକଟାକ୍ଷଂ ଵିଦଧତେ ।

ସଦା ଶ୍ରୀମଦ୍-ଵୃନ୍ଦାଵନଵସତିଲୀଳାପରିଚୟୋ

ଜଗନ୍ନାଥଃ ସ୍ଵାମୀ ନୟନପଥଗାମୀ ଭଵତୁ ମେ ॥ ୨॥


ଯେଉଁ ଲୀଳାମୟଙ୍କର ଶ୍ରୀହସ୍ତ ରେ ମୋହନ ବଂଶୀ, ଶିରରେ କେକୀପୁଛ, ଏବଂ କଟି ତଟରେ ପୀତ ରେଶମୀ ଦୁକୁଳ ଶୋଭା ପାଉଛି। କଟାକ୍ଷ ନେତ୍ରର ବାଙ୍କ ଚାହାଣିରେ ଭକ୍ତଜନଙ୍କୁ ଅବଲୋକନ କରି ଆନନ୍ଦ ପ୍ରଦାନ କରୁଛନ୍ତି। ବୃନ୍ଦାବନ ରହଣି କାଳର ଲୀଳା ସମୁହ ଭକ୍ତଜନଙ୍କୁ ସଦୈଵ ସ୍ମରଣ କରାଇ ଆନନ୍ଦ ଦେଵା ସହିତ ଆପେ ଆନନ୍ଦିତ ହେଉଛନ୍ତି। ସେହି କୃପାମୟ ମୋର ପଥ ପ୍ରଦର୍ଶକ ହୋଇ ଶୁଭଦୃଷ୍ଟି ଦେବାର କୃପା କରନ୍ତୁ। 

 


ମହାମ୍ଭୋଧେସ୍ତୀରେ କନକରୁଚିରେ ନୀଳଶିଖରେ

ଵସନ୍ ପ୍ରାସାଦାନ୍ତଃ ସହଜ ବଲଭଦ୍ରେଣ ବଳିନା ।

ସୁଭଦ୍ରା ମଧ୍ୟସ୍ଥଃ ସକଳ ସୁରସେଵାଵସରଦୋ ।

ଜଗନ୍ନାଥଃ ସ୍ଵାମୀ ନୟନପଥଗାମୀ ଭଵତୁ ମେ ॥ ୩॥


ଯେଉଁ ଲୀଳା ବିଗ୍ରହ, ବିଶାଳ ସମୁଦ୍ରର ତଟ ଦେଶରେ ନୀଳାଚଳ ଶିଖରୀର ରମ୍ୟ ପ୍ରାସାଦର ରତ୍ନ ସିଂହାସନରେ ବଳଶାଳୀ ଅଗ୍ରଜ ବଳଭଦ୍ରଙ୍କ ସହିତ, ମଧ୍ୟ ଭାଗରେ ସୁଭଦ୍ରା ଭଉଣୀଙ୍କୁ ନେଇ ବିରାଜମାନ ହୋଇଛନ୍ତି। ସମସ୍ତ ଦେବଗଣ ସାଧୁ ସନ୍ଥ ଭକ୍ତଜନ ଓ ପବିତ୍ର ଆତ୍ମା ମାନଙ୍କ ଦ୍ବାରା ସେଵିତ ହୋଇ ସମସ୍ତ ଭକ୍ତ ପ୍ରାଣଙ୍କୁ ଦିଵ୍ୟଦୃଷ୍ଟିର ରସପାନ କରାଉଛନ୍ତି। ସେହି କୃପାମୟ ମୋର ପଥ ପ୍ରଦର୍ଶକ ହୋଇ ମୋତେ ଶୁଭଦୃଷ୍ଟି ଦେବାର କୃପା କରନ୍ତୁ।


କୃପା ପାରାଵାରାସଜଳ ଜଳଦ ଶ୍ରେଣିରୁଚିରୋ

ରମାଵାଣୀ ରାମସ୍ଫୁରଦମଳ ପଙ୍କେରୁହମୁଖଃ ।

ସୁରେନ୍ଦ୍ରୈରାରାଧ୍ୟଃ ଶ୍ରୁତିଗଣଶିଖା ଗୀତ ଚରିତୋ

ଜଗନ୍ନାଥଃ ସ୍ଵାମୀ ନୟନପଥଗାମୀ ଭଵତୁ ମେ ॥ ୪॥


ହେ' କୃପାସାଗର, ସଘନ ସୁନ୍ଦର ଜଳଦମାଳା ସଦୃଶ ଆପଣଙ୍କର କୃପାଜୀମୂତରୁ ସଦା କୃପାଵାରି ବର୍ଷା ହେଉଅଛି। ଲକ୍ଷ୍ମୀ ସରସ୍ବତୀ ଆପଣଙ୍କର ଅସୀମ କୃପାରୁ ଧନ ଓ ଜ୍ଞାନ ବରଦା ହୋଇଛନ୍ତି। ପୂର୍ଣ୍ଣପ୍ରସ୍ଫୁଟିତ ନିଃସ୍କଳଙ୍କ ପଙ୍କଜ ସଦୃଶ ଆପଣଙ୍କର ମୁଖକମଳ ଶୋଭାୟମାନ ହେଉଛି। ଯେଉଁ କୃପା ମୟଙ୍କର ନିର୍ମଳ ଗୁଣଗାନ ଦେଵଗଣ ସହ ଦେବେନ୍ଦ୍ର ରୁଷି ମୁନି ଦିଵ୍ୟଆତ୍ମା ବେଦ ଉପନିଷଦ ସଦା ଗାୟନରତ ସେହି କୃପା ବାରିଧି ଶ୍ରୀଜଗନ୍ନାଥ ସ୍ବାମୀ ମୋର ପଥ ପ୍ରଦର୍ଶକ ହୋଇ ଶୁଭଦୃଷ୍ଟି ପ୍ରଦାୟକ ହୁଅନ୍ତୁ।


ରଥାରୂଢୋ ଗଚ୍ଛନ୍ ପଥି ମିଳିତ ଭୂଦେଵପଟଳୈଃ

ସ୍ତୁତି ପ୍ରାଦୁର୍ଭାଵଂ ପ୍ରତିପଦମୁପାକର୍ଣ୍ୟ ସଦୟଃ ।

ଦୟାସିନ୍ଧୁର୍ବନ୍ଧୁସକଳ ଜଗତା ସିନ୍ଧୁସୁତୟା ।

ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ।।୫।।


ହେ ପତିତପାବନ, ଆପଣ ପତିତ ଜନଙ୍କର ଉଦ୍ଧାର ତଥା ବ୍ରାହ୍ମଣ ସାଧୁ ସନ୍ଥଙ୍କୁ ଦର୍ଶନ ଦେବା ପାଇଁ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ପଥରେ ରଥାରୁଢ଼ ହୋଇ ଆସନ୍ତି। ସମସ୍ତ ଭକ୍ତଜନ  ଆପଣଙ୍କ ଶ୍ରୀମୁଖ ଦର୍ଶନ କରି ଭାବ ବିହ୍ଵଳିତ ହୋଇ ସ୍ତୁତି ବାଚନ କରନ୍ତି। ଆପଣ ସ୍ତୁତିର ପ୍ରତି ପଦରେ ପ୍ରସନ୍ନ ହୋଇ ପ୍ରେମର ସହିତ ଭକ୍ତଙ୍କୁ ଅବଲୋକନ କରି ପ୍ରେମ ଓ କୃପା ବର୍ଷଣ କରନ୍ତି। ହେ କୃପାମୟ ଜଗନ୍ନାଥ ସ୍ବାମୀ, ସକଳ ଜଗତର ବନ୍ଧୁ ଦୟାସିନ୍ଧୁ ସାଗରଦୁଲଣୀ ସହିତ କୃପାକରି ମୋର ପଥ ପ୍ରଦର୍ଶକ ହୋଇ ଶୁଭଦୃଷ୍ଟି ପ୍ରଦାୟକ ହୁଅନ୍ତୁ।


ପରବ୍ରହ୍ମାପୀଡଃ କୁଵଳୟ-ଦଳୋତ୍ଫୁଲ୍ଲନୟନୋ ।

ନିଵାସୀ ନୀଳାଦ୍ରୌ ନିହିତ-ଚରଣୋଽନ୍ତଶିରସି ।

ରସାନଂନ୍ଦୋ ରାଧା-ସରସ-ଵପୁରାଲିଙ୍ଗନ-ସୁଖୋ

ଜଗନ୍ନାଥଃ ସ୍ଵାମୀ ନୟନପଥଗାମୀ ଭଵତୁ ମେ ॥ ୬॥


ହେ' ବ୍ରହ୍ମାଙ୍କର ମୁକୁଟ ମଣି ପରଂବ୍ରହ୍ମ ! ସଦ୍ୟ ପ୍ରସ୍ଫୁଟିତ ପୂର୍ଣ୍ଣ ବିକଶିତ କୁମୁଦ ଦଳର ଆଭା ସଦୃଶ ଆପଣଙ୍କର ନେତ୍ର ଶୋଭାୟମାନ। ହେ' ନୀଳାଚଳ ନିବାସୀ ଆପଣଙ୍କର ପଦକମଳ ଅନନ୍ତ ଦେଵ ଶେଷନାଗଙ୍କର ମସ୍ତକ ଉପରେ ବିରାଜମାନ ହୋଇଅଛି। ଆପଣ ସଦା ପ୍ରେମ ରସରେ ରସାଣିତ ହୋଇ ପରମାନନ୍ଦ ଅନୁଭବ କରନ୍ତି ସତେ ଶ୍ରୀରାଧାରାଣୀଙ୍କ ସହିତ ଆପଣ ଆଲିଙ୍ଗନରତ। ଏକ ଜଳପୂର୍ଣ୍ଣ ସରୋଵରରେ ଯେଉଁ ପ୍ରକାର ସରସୀଜ ପରମାନନ୍ଦ ପ୍ରାପ୍ତି କରେ ସେହି ପ୍ରକାର ଶ୍ରୀଲକ୍ଷ୍ମୀଙ୍କର ହୃଦୟ ସରୋବର ସଦୈଵ ଆପଣଙ୍କର ଆନନ୍ଦ ଵର୍ଦ୍ଧନ କରେ। ହେ' ରମାରମଣ ଜଗନ୍ନାଥ ସ୍ବାମୀ ଆପଣ ମୋର ପଥ ପ୍ରଦର୍ଶକ ହୋଇ ଶୁଭଦୃଷ୍ଟି ପ୍ରଦାନ କରିବା ହୁଅନ୍ତୁ।।୬।।


ନ ଵୈ ୟାଚେ ରାଜ୍ୟଂ ନ ଚ କନକ ମାଣିକ୍ୟ ଵିଭଵଂ

ନ ୟାଚେଽହଂ ରମ୍ୟାଂ ନିଖିଳଜନ-କାମ୍ୟାଂ ଵରଵଧୂମ୍ ।

ସଦା କାଳେ କାଳେ ପ୍ରମଥ-ପତିନା ଗୀତଚରିତୋ

ଜଗନ୍ନାଥଃ ସ୍ଵାମୀ ନୟନପଥଗାମୀ ଭଵତୁ ମେ ॥ ୭॥


ହେ' ଅନ୍ତର୍ଯ୍ୟାମୀ ନାଥ, ମୁଁ ଆପଣଙ୍କ ନିକଟରେ ରାଜ୍ୟ ଭିକ୍ଷା କରୁନାହିଁ, ନତୁବା ସ୍ବର୍ଣ୍ଣ ମଣି ମାଣିକ ରତ୍ନ ବୈଭବ ମୋର ଲୋଡା ନାହିଁ। ଅଥବା ନିଖିଳ ଜଗତରେ ଶ୍ରେଷ୍ଠଵଧୁ ରୂପେ ବିବେଚିତା ଲକ୍ଷ୍ମୀଙ୍କ ସଦୃଶା ସୁନ୍ଦରୀ ପତ୍ନୀର ଅଭିଳାଷା ରଖି ମୁଁ ଆପଣଙ୍କର ପ୍ରାର୍ଥନା କରୁନାହିଁ। ହେ' ସ୍ବାମୀ, କେବଳ ମୋର ଏତିକି ପ୍ରାର୍ଥନା ସଦା ସର୍ବଦା ପ୍ରମଥପତି ଉମାପତି ମହାଦେବ ଶିଵ ଯେଉଁ କୃପାମୟଙ୍କର ଗୁଣ ଗାନ କରୁଛନ୍ତି ସେହି ଭାବଗ୍ରାହୀ ଜଗନ୍ନାଥ ସ୍ବାମୀ ମୋର ପଥ ପ୍ରଦର୍ଶକ ହୋଇ ଶୁଭଦୃଷ୍ଟି ପ୍ରଦାନ କରିବାର କୃପା କରନ୍ତୁ।।୭।।


ହର ତ୍ଵଂ ସଂସାରଂ ଦ୍ରୁତତରମସାରଂ ସୁରପତେ

ହର ତ୍ଵଂ ପାପାନାଂ ଵିତତିମପରାଂ ୟାଦଵପତେ ।

ଅହୋ ଦୀନୋଽନାଥେ ନିହିତଚରଣୋ ନିଶ୍ଚିତମିଦଂ

ଜଗନ୍ନାଥଃ ସ୍ଵାମୀ ନୟନପଥଗାମୀ ଭଵତୁ ମେ ॥ ୮॥


ହେ' ସୁରପତେ, ଏହି ମାୟାର ଦୁ଼ସ୍ତର ସଂସାରରେ ପାର୍ଥୀଵ ସୁଖ ସାଧନ ଲାଳସାରେ ସ୍ବାର୍ଥୀ ହୋଇ ଅଧର୍ମ ଅକର୍ମ ଆଚରଣ କରି ଜନ୍ମ ମୃତ୍ୟୁର ନିବିଡ଼ ବନ୍ଧନରେ ବେଳୁ ବେଳ ଛନ୍ଦି ହେଉଛି , ସଂସାରର ଏହି ଦୁସ୍ତର ଵନ୍ଧନରୁ ମୋତେ ଉନ୍ମୁକ୍ତ କରି ଏହି ଦାରୁଣ ଦୁଃଖ ହରଣ କରନ୍ତୁ। ହେ' ଯଦୁପତି, ମୋର କୃତ ପାପ କର୍ମର ଅତଳ ସାଗରରେ ମୁଁ ଭାସି ଯାଉଛି । ମୋତେ ସହାୟ ହୋଇ ଏହି ଦୁସ୍ତର ପାପ ହରଣ କରି ମୋର ଉଦ୍ଧାର କରନ୍ତୁ। ହେ' ଦୀନନାଥ, ଦୀନ ଦୁଃଖୀଙ୍କର ଵନ୍ଧୁ, ସଂସାରର ଅବହେଳିତ ପତିତ ଅସହାୟ ଦୀନ ଦୁଃଖୀ ନିଶ୍ଚିତ ଭାବରେ ଯେତେବେଳେ ନିଜକୁ ଆପଣଙ୍କ ଚରଣାରଵିନ୍ଦରେ ସମର୍ପଣ କରିଦିଏ ଆପଣ ପ୍ରେମରେ କୋଳେଇ ନେଇ ଅଭୟ ପ୍ରଦାନ କରନ୍ତି। ସେହି କୃପାଳୁ ଜଗନ୍ନାଥ ସ୍ବାମୀ ମୋର ପଥ ପ୍ରଦର୍ଶକ ହୋଇ ଶୁଭଦୃଷ୍ଟି ପ୍ରଦାୟକ ହୁଅନ୍ତୁ।।୮।।


ଜଗନ୍ନାଥାଷ୍ଟକମ୍ ପୁଣ୍ୟଂ ୟଃ ପଠେତ୍ ପ୍ରୟତଃ ଶୁଚିଃ ।

ସର୍ଵପାପ ଵିଶୁଦ୍ଧାତ୍ମା ଵିଷ୍ଣୁଲୋକଂ ସଃ ଗଚ୍ଛତି ॥


ଏହି ମହାନ ମୋକ୍ଷଦାୟୀ ଶ୍ରୀଜଗନ୍ନାଥ ଅଷ୍ଟକମ୍ ସ୍ତ୍ରୋତ ଯେଉଁ ସାଧକ ଭକ୍ତ ଶ୍ରଦ୍ଧାର ସହିତ ପ୍ରାତଃ କାଳରେ ନିର୍ମଳ ମନରେ ପାଠ କରନ୍ତି, ପାପ ପଙ୍କରୁ ଉଦ୍ଧାର ହୋଇ ସେହି ବିଶୁଦ୍ଧ ଆତ୍ମା ମୋକ୍ଷ ଲଭି ବିଷ୍ଣୁ ଲୋକରେ ନିବାସ କରନ୍ତି।


ଇତି ଶ୍ରୀମଦ୍ ଜଗନ୍ନାଥାଷ୍ଟକମ୍ ସଂପୂର୍ଣ୍ଣମ୍॥


ଜୟ ଜଗନ୍ନାଥ ସ୍ବାମୀ କୃପାମ୍ଽସ୍ତୁ ।



Rate this content
Log in

Similar oriya poem from Classics