ବଚନେ କରମେ ଜଗତ ହସା
ବଚନେ କରମେ ଜଗତ ହସା
ଯେତେ ବୁଝାଏ ମୁଁ ଅବୁଝା ତୁ ହେଉ,
ମିଥ୍ୟା ଅହଙ୍କାରେ ଯାଉଛୁ ଫାଟି,
ଜଣା ନାହିଁ କେଉଁ ନିଃଶ୍ୱାସରେ ତୋର
ପ୍ରାଣ ହେବ ଶେଷ, ପଡିବୁ ଲୋଟି।
ଚନ୍ଦନ ଯାତରା ସରିଲାଣି, ମନ
ଆଉ କେତେ ଖେଳୁ ଚକା-ଭଉଁରୀ,
ଚାନ୍ଦିନୀର ଚାରି ରାତି ଗଲା ବିତି,
ଦେଖ, କାଳରାତ୍ରି ଆସୁଛି ମାଡି।
ଘନ ଘନ ଶୁଭେ ଯମର ଡାକରା,
ଜାଣିଶୁଣି ତୁହି ହେଉ ଅଜଣା,
ଜରାର ଯନ୍ତ୍ରଣା ବଢେ ବେଳୁଁବେଳ,
ତଥାପି ହେଉଛୁ ତୁ ବାଟବଣା।
ଶିଥିଳ ହେଲେଣି ପଞ୍ଚେନ୍ଦ୍ରିୟ ତୋର,
ବାତ-ପିତ୍ତ-କଫ ବଢେ ପ୍ରବଳ,
ଅଣଚାଷ ବାଆ ବହିଲେ ଉଜାଣି
ପ୍ରାଣପକ୍ଷୀ ଛାଡି ଯିବ ଶରୀର।
ଆପଣାର ବୋଲି ଯା' ଲାଗି ସ୍ନେହେ
ଯୋଗାଡୁ ଯତନେ ଧନ ଦରବ,
କ୍ଷଣେ ସାତପର କରିବେ ସକଳ,
ଭାଙ୍ଗିଯିବ ତୋର ଗେଲ ଗରବ।
ସଂସାର ନିୟମ ଜନମ ମରଣ,
ମରଣକୁ କିଏ ପାରିଛି ଜିଣି?
ଅକର୍ମରେ ଲିପ୍ତ ନ ହୁଅ ରେ ଭାଇ,
ମରଣଶୀଳ ଏ ଜୀବନ ଜାଣି।
ଏଣୁ ବେଳ ଥାଉ କର ସତକର୍ମ,
ତେଜି ଅହଙ୍କାର ଈର୍ଷା ଲାଳସା,
ଦୁଃଖୀ ଲୁହ ପୋଛି ଓଠେ ଦେଇ ହସ,
ବଚନେ କରମେ ଜଗତ ହସା।
