ଅବସୋସ
ଅବସୋସ
ଜୀବନର ଚଲାପଥ ଧାରେ
ଦୋଛକିର ନଈ ମୁହାଣିରେ
କେତେ କଣ୍ଟା କେତେ ଫୁଲ
ପ୍ରାପ୍ତି ଆଉ ଅପ୍ରାପ୍ତିର ମୂଲ
ପ୍ରତିନିତି ବଦଳିବା ବେଶ
ଜୀବନରେ ଭରେ ଅବସୋସ ।
ବାହୁଡିବା ବେଳ ହୋଇଯାଏ
ଖେଳୁଖେଳୁ ଖେଳ ସରିଯାଏ
ଆଶା ସବୁ ନିରାଶାରେ ହଜେ
ଅନିର୍ବାଣ ଦୀପଶିଖା ତେଜେ
ଜୀବନ ପ୍ରଦୀପ ଜଳାଇବା ଆଶ
ସଦା ଆଣି ଆସେ ଅବସୋସ ।
କିଏ ହାରେ କିଏ ଏଠି ଜିତେ
ଜଗତର କଲ୍ୟାଣ ସାଧିତେ
କିଏ ଦିଏ ପ୍ରାଣ ବଳିଦାନ
ସ୍ଵାର୍ଥପର ସ୍ଵୀକାରେ ଆହ୍ଵାନ
ଭରିଯାଏ ପ୍ରୀତିର ଉଚ୍ଛ୍ଵାସ
ବଳି ଦେଇ ସର୍ବ ଅବସୋସ ।
ସ୍ମୃତିର ସେ ସୁନା ଫରୁଆରେ
ବନ୍ଧାପଡେ ତାବିଜ ମଧ୍ୟରେ
ଆଶାର ସେ ଶତ ଶତଦଳ
ମ୍ଳାନ ଆଉ ନିସ୍ପ୍ରାଣ ପାଂଶୁଳ
ମଉନରେ ଦହି ହୋଇ କ୍ଳେଶ
ଆଣେ ଯେତେ ଥାଏ ଅବସୋସ ।
କର୍ମ ସଂସ୍ଥାପନ ଅଧ୍ୟୟନ
ପ୍ରୀତିସୁଧା ଦିବ୍ୟ ସମ୍ମୋହନ
ବିବାହର ଅତୁଟ ବନ୍ଧନ
ଚିନ୍ତା ଆଉ ଭାବର ଚିନ୍ତନ
ଭୁଲଠିକ୍ ହିସାବର ଶ୍ଵାସ
ରୁଦ୍ଧ କରେ ସର୍ବ ଅବସୋସ ।
ଜୀବନରେ ସନ୍ତାପିତ ପ୍ରାଣ
ଅନଳରେ ହୁଅଇ ଦହନ
ମିଠାମିଠା ଯେତେ ମଧୁସ୍ମୃତି
ସଂକଟର ସବୁ ଭୟଭୀତି
ପ୍ରାଣ ସାଥେ ହୋଇଥାଏ ଶେଷ
ଜଳେ ଚିତା ରହେ ଅବସୋସ ।