ଅବଶୋଷର ଧୂଆଁ
ଅବଶୋଷର ଧୂଆଁ
ଏଇ ଜୀବନରେ କେତେ ଯେ ଯାତନା
ଦୁଃଖ ଅଛି କେତେ ଭରି ।
ସମୟର ସୁଏ ବହିଯାଏ କେତେ
ଅକୁହା କାହାଣୀ ପରି ।
ପୃଷ୍ଠା ଓଲଟାଇ ଅତୀତକୁ ଚାହିଁ
ଭାବୁଛି ଆଜି ମୁଁ ଯାହା ।
ଅଥଳ ସାଗରେ ବାଲୁକା ଶଯ୍ୟାରେ
ସ୍ତୁତି ର ଶାମୁକା ତାହା ।
ଅଳନ୍ଧୁ କୁ ଝାଡି ଅଣ୍ଡାଳି ଅଣ୍ଡାଳି
କ୍ଷତାକ୍ତ ହୋଇଛି ଖାଲି ।
ଚଲାପଥ ଧାରେ ଭବିଷ୍ୟତ ପୁଣି
ଡାକେ ଦେଖ ହାତ ଠାରି ।
ଅତୀତ ଦିଅଇ ମନକୁ ବେଦନା
କୋହ ଭରା ଆଖି ଲୁହ ।
ଭାରାକ୍ରାନ୍ତ ମନ ବ୍ୟଥିତ ହୃଦୟ
ନାହିଁ ଆଜି ପରିଚୟ ।
ମନ ଅଗଣାରେ ଯନ୍ତ୍ରଣାର ଢେଉ
ଉଠୁଥାଏ ବାରମ୍ବାର ।
କା ଆଗେ କହିବି ବୁଝିପାରୁନାହିଁ
ଯନ୍ତ୍ରଣାର କ୍ଳିଷ୍ଟ ସ୍ବର ।
କଥା କୁହା ଆଖି ଅବଶ ହେଲାଣି
ହାରିବା ଜିତିବା ଚାହିଁ ।
ଆପ୍ରାଣ ଉଦ୍ୟମେ ପରାଜୟ ପାଇ
ମୋ ମନେ ଉଠଇ କୋହ ।
ଆନନ୍ଦର ଚାନ୍ଦ ଲିଭି ଯାଏ ମନୁ
ନିରାଶା ବାଦଲ କୋଳ ।
ଅବଶୋଷ ଧୂଆଁ ଦୁଃଖ ଯାତନା
ଅମା ଅନ୍ଧକାର ଘୋର ।
ଆଶା ନିରାଶାର ମରିଚିକା ସତେ
ବଞ୍ଚିବା ଦିଏ ଶିଖାଇ ।
ଜନ୍ମ ମରଣ ଦୁଇ ଜୁଇ ମିଶି
ମଣିଷ ଜୀବନ ଏଇ ।
ବସାହୀନ ପକ୍ଷୀ ଉଡି ବୁଲୁଥାଏ
ବସାର ସନ୍ଧାନ ପାଇ ।
ଆଶାର ଚୁମ୍ବକ ଟାଣି ରଖିଥାଏ
ନୂତନ କିରଣ ପାଇଁ ।
ସତେ କି ଉଇଁବ ନୂତନ ସୂର୍ଯ୍ୟ
ମୋ ମନ ଆକାଶରେ ।
ପ୍ରେମ ମମତାର କଅଁଳ କିରଣ
ପଡୁଥିବ ଅଗଣାରେ ।
