ଅଭୟ ଆଶ୍ରୟ
ଅଭୟ ଆଶ୍ରୟ
ଅରଣା ମଇଁଷି ମରଣ ହାରିଛି
ଯାର ଶୂଳ ବିଦାରେଣ
ସିଏ ମୋ ମାଆ ଜଗତଜନନୀ
ଖ୍ୟାତ ବିରଜାଇ ନାମେ ।
ତାର ପାଦଧୂଳି ମୋ ଲଲାଟ ଦୀପ୍ତି
ସିଏ ଜୀବନ ଦାୟିନୀ
ତା ସ୍ନେହ ଶରଧା ଅମୃତ ସମାନ
ମମତାର ମନ୍ଦାକିନୀ ।
ସିଏ ସବୁଜିମା ସକଳ ଆଧାର
ଶକତିର ଆଦିମୂଳ
କୃପାରେ ତାହାର ସଞ୍ଚରେ ଜୀବନ
ଜଡ଼ ଶବ ହୁଏ ଶିବ ।
ମଙ୍ଗଳ ମୂରତି ବିରଜା ବରଦା
ଜନନୀ ସର୍ବସହିଷ୍ଣ
ଅଭୟ ଆଶ୍ରୟ ତାର ପଦ୍ମପାଦ
ଗତି ନାହିଁ ମାଆ ବିନୁ ।
ମାତା ଦିବ୍ୟ ରୂପ ଫୁଟୁ ଛତ୍ରେ ଛତ୍ରେ
ଜୀବନେ ମୋ ଅନୁକ୍ଷଣେ
ବିକଶୁ ସୁମନ ଶୁଭ ସୁସଙ୍କଳ୍ପ
ମାତୃକୃପା ସନ୍ନିଧାନେ ।
