ଅଭୂଲା ସ୍ମୃତି
ଅଭୂଲା ସ୍ମୃତି
କେଉଁ ରାଇଜକୁ ଚାଲିଗଲ ପ୍ରିୟା
ନ ଦେଇ ତୁମ ଠିକଣା,
ବରଷା ରାତିରେ ତୁମେ ମନେ ପଡ଼
ମନ ହୁଏ ବାଟବଣା ।
ପହିଲି ଦେଖାରେ ଭଲ ପାଇଥିଲି
ତୁମେ ଦେଇଥିଲ କଥା,
ସାଥି ହୋଇ ଆମେ ଜୀବନ ଜିଇଁବା
ନ ଦେଇ ଆନକୁ ବ୍ୟଥା ।
ରୂପା ଜହ୍ନପରି ତୋଫା ଗୋରାଦେହ
ମୋ ମାନସେ ଭାସିଯାଏ,
ପିକରାବ ସମ କଣ୍ଠସ୍ଵର ତବ
ଅନ୍ତକର୍ଣ୍ଣେ ଶୁଭିଯାଏ ।
ବର୍ଷାଭିଜା ତୁମ ଶାଢୀପିନ୍ଧା ଦେହ
ଏବେବି ସ୍ମୃତିରେ ଭାସେ,
ନାଲି ଓଷ୍ଠ ସଙ୍ଗେ ଗଭାର ଗଜରା
ଭାବନାରେ ଫୁଟିଦିଶେ ।
କାହିଁକି କିପାଇଁ ଏତେ ଅଭିମାନ
କରି ଛାଡି ଚାଲିଗଲ,
ଅତୀତ ଦିନର ଅଭୂଲା ସ୍ମୃତିକୁ
କେମିତି ପାଶୋରି ଦେଲ ।
କି ଦୋଷ ଦେଖିଲ ମୋହର ହେ ପ୍ରିୟା
ଇଚ୍ଛା ତୁମ ମଉଳିଲା,
ଜୀବନସାରା ମୁଁ ସୁଖରେ ରଖିବି
ଫେରିଆସ ତୁମେ ଭଲା ।