ଅଭୁଲା ସ୍ମୃତି
ଅଭୁଲା ସ୍ମୃତି
ପ୍ରତିଦାନେ ତୋ ଠୁ ଚାହିଁ ନାହିଁ କିଛି
ମାଗି ନାହିଁ ହୀରାମୋତି,
ପରିସ୍ଫୁଟ ସ୍ନେହ ମମତା ଦେଇନି
ହୃଦେ ରଖିଛି ସାଇତି ।
କାଳର କରାଳେ ସମୟ ସରିଲା
ରଜନୀ ହୋଇଲା ଶେଷ,
ମିଠା ସପନରେ ପୂର୍ଣ୍ଣଚ୍ଛେଦ ଆଜି
ରହେ ଖାଲି ଅବଶୋଷ ।
ଭୁଲି ନାହିଁ କିଛି ଅଭୁଲା ସେ ସ୍ମୃତି
ସାଇତା ସ୍ମୃତି ପଟରେ,
ରକ୍ତ ରଞ୍ଜିତ ମାନସେ ମୋ ଲେଖା
ଲିଭିବ ମୋ ଯୂଇ ପରେ ।
ମୁକ୍ତା ପରି ସେଇ ଦୁଇ ଧାଡ଼ି ଦନ୍ତ
କରେ ତତେ ମର୍ମାହତ,
ଭାବିଅଛୁ ମନେ ଅଛି ସେ ଖୁସିରେ
କ୍ଷତାକ୍ତ କରି ତୋ ଚିତ୍ତ ।
କାଳର ସ୍ରୋତରେ ଆମେ ତ ଖେଳନା
ବୁଝେନା ସେ ଭଲମନ୍ଦ,
ଯାହା ସାଥେ ଥାଏ ଖେଳ ଯେତେଦିନ
ସେତେଯାଏ ଆମେ ବନ୍ଧା ।
ରହିବାକୁ ହୁଏ ଶୃଙ୍ଖଳ ଭିତରେ
ସାଜି ଶୃଙ୍ଖଳିତ ପ୍ରାଣୀ,
ପାଦ ଖସିଗଲେ ଅନେକ ଯାତନା
ଖାଲି ହା ହାକାର ପୁଣି ।
ଲେଲିହାନ ଦୀପ ଶିଖା ପରି ଜଳି
ଯାଅରେ ଆଲୋକ ବାଣ୍ଟି,
ଜୀବନ ଦୀପଟି ସଦା ଜଳୁଥିବ
ସୁଖଦୁଃଖ ସବୁ ଫେଣ୍ଟି ।
