ଅଭୁଲା ସ୍ମୃତି
ଅଭୁଲା ସ୍ମୃତି
ଯେଉଁ ସ୍ୱପ୍ନ ସବୁ
ରାତିର ବକ୍ଷରେ
ତାରା ପରି ଫୁଟି ଉଠେ,
ନା ତାକୁ ଲେଖି ପାରିଛି,
ନା ତାକୁ ବଂଚି ପାରିଛି,
ବାସ୍ ! ମୁଦ୍ରିତ ଆଖିରେ ଅନୁଭବ କରି
ସକାଳର ସୂର୍ଯ୍ୟାଲୋକରେ ପାସୋରି ଦେଇଛି
ଯେଉଁ କଳ୍ପନା ସବୁ
ମାନସିକ ସ୍ତରରେ
ମେଘ ମାଲ୍_ହାର ଭାନ୍ତି ଭାସି ବୁଲେ,
ନା ତାକୁ ବାସ୍ତବର ରଶିରେ ବାନ୍ଧି ପାରିଛି,
ନା ତାକୁ ଅସ୍ତିତ୍ୱର ରୂପ ଦେଇ ପାରିଛି,
ବାସ୍ ! କାଳ୍ପନିକତାର ଇନ୍ଦ୍ରଧନୁରେ ରଙ୍ଗୀନ୍ କରି
ବାସ୍ତବତାର ଅନିଶ୍ଚିତତାରେ ଫିକା କରି ଦେଇଛି
ଯେଉଁ ଆବେଗ ସବୁ
ହୃଦ ପାନ୍ଥଶାଳାରେ
ଯାଯାବର ଯାତ୍ରୀ ଭଳି ଆତଯାତ ହୁଅନ୍ତି,
ନା ତାଙ୍କ ପରିଚୟ ପାଇ ପାରିଛି,
ନା ତାଙ୍କୁ ଆପଣେଇ ପାରିଛି,
ବାସ୍ ! ଅପରିପକ୍ୱତାର ପ୍ରଶ୍ନିଳ
ପ୍ରଶ୍ନବାଚୀରେ ସ୍ଥଗିତ କରି
ଆବେଗିକ ବେଦନାସିକ୍ତ ଜ୍ଵାଳାକୁ ହିଁ ଆପଣେଇ ନେଇଛି
ଯେଉଁ ସ୍ମୃତି ସବୁ
ଜୀବନର ବେଳାଭୂମିରେ
ପାଦଚିହ୍ନ ଛାଡ଼ିଯାଏ,
ବାସ୍ ! ସେସବୁକୁ ସାଉଁଟିଛି
ସାଇତିଛି
ସଜେଇଛି
" ଅଭୁଲା_ସ୍ମୃତିର " ନାମରେ
ନାମିତ କରି
ଆଶା ଆକାଂକ୍ଷାର ବର୍ଣ୍ଣାଳୀରେ
ମନର ଆଭ୍ୟନ୍ତରୀଣ ରାଜ୍ୟକୁ ଆନ୍ଦୋଳିତ କରେଇଛି
