ଅଭୁଲା ସେଇ ଧାନ କଟା ଛୁଟି
ଅଭୁଲା ସେଇ ଧାନ କଟା ଛୁଟି
ବରଷକେ ଥରେ ପଉଷ ଜାଡ଼ରେ
ଆସେ ଧାନକଟା ଛୁଟି,
ଚାଷୀ ଭାଇ ସାଥେ ସମୟ ଯେ ବିତେ
ଧାନ ଅମଳ ପାଇଁଟି।
ନିଜ ନିଜ ବୃତ୍ତି ଛାଡି ଦେଇ ଜନେ
ଧାଇଁ ଆସିଥା'ନ୍ତି ଗ୍ରାମେ,
ବର୍ଷକ ଆହାର ଥୋଇଣ କୁଟୀରେ
ଫେରିଯା'ନ୍ତି ନିଜ କର୍ମେ।
ଜନ ଶୂନ୍ୟ ଦିଶେ ନଗର ବଜାର
କେ' ଚାଲଇ ପଥେ ଏକା,
ରିକିସା ଚାଳକ ଦିନ ମଜୁରିଆ
ନଦିଶଇ କା'ର ଦେଖା।
ନାପିତ କି ଧୋବା ଦରଜି, ହାଟୁଆ
ଅବା ବଡ଼ ବଡ଼ ବାବୁ,
ଦୂରୁଁ ଆସିଥା'ନ୍ତି ଆପଣାର କ୍ଷେତେ
ଅମଳ ପାଇଁ ଯେ ସବୁ।
ଧାନ କଟା ଛୁଟି ଘୋଷଣା କରିଣ
ଯାଇଥା'ନ୍ତି ଗୁରୁ କ୍ଷେତେ,
ଶିଷ୍ୟଗଣ କ୍ଷେତେ ରହି ପିତା ସାଥେ
ସହାୟ ହୁଅନ୍ତି କେତେ।
କଅଁଳିଆ ଖରା ପଡି ଦେହ ସାରା
ଲାଗଇ ଯେମନ୍ତ ଶୀତେ,
ପକ୍ଵ ଧାନ କେଣ୍ଡା ଦେଖି ଗଣ୍ଡା ଗଣ୍ଡା
କି ଆନନ୍ଦ ଲାଗେ ସତେ ।
ଧାନ କଟା ବେଳେ ପଉଷ ସକାଳେ
ଗୁଡ଼ିଆଣି ମୁହାଁ ଧରି,
ମୁହାଁ ବଦଳେ ସେ ନିଏ ଧାନ ପୋଷେ
ବୁଲୁଥାଏ ଦିନ ଭରି।
ବାପ ପୁଅ ମିଶି ହିଡ ମୁଣ୍ଡେ ବସି
ଭୁଞ୍ଜନ୍ତି ପଖାଳ କଂସେ,
ବଢି ଚୁରା, ଶାଗ ଲୁଣ ଲଙ୍କା ପାଗ
କେଡେ ମଜା ନେଇ ଆସେ।
ଗୋଛା ଗୋଛା ଧାନ ଶଗଡେ ବାନ୍ଧିଣ
ଖଳାକୁ ଆଣଇ ଚଷା,
ସେ ଶଗଡେ ବସି ପିଲା ହ୍ୱନ୍ତି ଖୁସି
ପୂରିଯାଏ ତାର ଆଶା।
ଧାନ ଖଳା ମଜା ଲାଗେ ଭାରି ତାଜା
ବେଙ୍ଗଳା ପଡଇ ଯହିଁ,
ବଳଦ ସହିତେ ବୁଲିଥା'ନ୍ତି ପିଲେ
ପଛେ ପଛେ ତାର ଧାଇଁ।
ଗୋଟି ଗୋଟି ଧାନ ଦେଇ ପ୍ରାଣ ମନ
ତୋଳନ୍ତି ମା' ଆଈମାଆ,
କହିଥାନ୍ତି ସେ ଯେ ଧାନ ନୁହେଁ ଏ'ଯେ
ସାକ୍ଷାତ ଲକ୍ଷିମି ମାଆ।
ଅଦଳ ବଦଳ ହୋଇ ଚଷା ପୁଅ
କରୁଥିଲେ କାମ ମିଶି,
ଏତେ ବଡ଼ କାମ ହୁଅଇ ସହଜେ
ବିନା ବ୍ୟୟେ ଅର୍ଥରାଶି।
କେତେ ଯେ ବିଜ୍ଞାନ ସାଥେ କେତେ ଜ୍ଞାନ
ମିଳୁଥିଲା ଅଜାଣତେ,
ପ୍ରକୃତି ସହିତ ସମାଜ ଜଡିତ
ଜଣାଗଲା ଧାନ କ୍ଷେତେ।
ଧନ୍ୟ ତୁହି ଚାଷୀ ତୋର ସଶ୍ୟରାଶି
ଧନ୍ୟ ତୋ'କୃଷକ ଜାତି,
ଖଟି ଖଟି କ୍ଷେତେ ପୋଷୁ ଜୀବ କେତେ
ଏ ଜଗତେ ତୁହି ନିତି।