ଅଭୁଲା ସେ ମୁହୂର୍ତ୍ତ କିଛି
ଅଭୁଲା ସେ ମୁହୂର୍ତ୍ତ କିଛି
ପଢିବ ଗୋ ସାଥି ଏଇ ମୋର ଚିଠି
ହୃଦୟ ଲଗାଇ ଥରେ
ତୁମ ପଥ ଚାହିଁ ମୋ ନୟନ ଦୁଇ
କେମିତି ଗୁମୁରି ସ୍ଫୁରେ ।
ଅଳସୀ ରାତିରେ ନିର୍ଜନ ନିଶିରେ
ଏକାନ୍ତେ ମୁଁ ବସି ଥାଏ
ଧୀରେ ଧୀରେ ଚଳେ ପୁରୁଣା ବରଷ
କିଛି ସ୍ମୃତି ରହି ଯାଏ ।
ଭୁଲି ପାରେ ନାହିଁ ଝରା ଫଗୁଣର
ମଧୁ ବୋଳା ଜହ୍ନ ରାତି
ଝାଞ୍ଜି ବଇଶାଖ ଉତ୍ତର କାଶ୍ମୀର
ତୁଷାର ସମାନ ତୃପ୍ତି ।
କାଦମ୍ବିନୀ ହାତେ ବାରତା ଦେଇ ମୁଁ
ଆଶା ପାହାଡରେ ବସି
ଲକ୍ଷହୀନ ମନ ଉଡ଼ି ଯାଉ ଥିଲା
ମହୁଲି ନିଶାରେ ହସି ।
ଧାରା ଶ୍ରାବଣର ଅବିରତ ବର୍ଷା
ଭାବନାକୁ ଦେଲା ଧୋଇ
ଭୋଦୁଅ ବାହୁଡେ ଖରା ଛାଇ ଖେଳେ
ତୁମେ ତ ଆସିଲ ନାହିଁ ।
ଆଶ୍ଵିନ ପାର୍ବଣେ ଦୁର୍ଗାଙ୍କ ଚରଣେ
ବୋଲେ ଗୁଣୁଗୁଣୁ ସ୍ବରେ
ମନର ଦେବତା ଖୋଜେ ଆଖିପତା
ଶୁଣ ମାଗୋ ଡାକ ଥରେ ।
କାର୍ତ୍ତିକ ବରତେ ଚିତ୍ତ ଲଗାଇଲି
ଦୀର୍ଘାୟୁ କାମନା କରି
ଦେଖା ତ ନୋହିଲା କେତେ ତିଥି ଗଲା
ହୃଦୟେ ପର୍ବତ ଗିରି ।
ପୁରୁଣା ଚାଉଳ ଅନ୍ନ ବଢୁ ଥାଏ
ଏ କଥା ରଖିବ ହୃଦେ
ତୁଠର ପଥର ନିତି ଘଷା ହୁଏ
ପାଦ କି ତାହାକୁ ନିନ୍ଦେ ।
ଏତେ ସୁଖ ଯଦି ଅତୀତରେ ଗୁନ୍ଥା
ଦେଇ ନପାରିଲା ସୁଖ
ନୂତନ ବରଷେ କେମିତି ବନ୍ଧୁ ହେ
ମେଣ୍ଟିବ ତୁମର ଶୋଷ ।
ତଥାପି ଲେଖିଛି ଲୋତକ କାଳିରେ
ଆଗମନ ହେଉ ଶୁଭ
ପ୍ରୀତି ଫଗୁଣରେ ପ୍ରାଣ ହେଉ ଧନ୍ୟ
ଲୋଡା ନାହିଁ କ୍ଷତି ଲାଭ ।