ଅଭୁଲା ମୁହୂର୍ତ୍ତ
ଅଭୁଲା ମୁହୂର୍ତ୍ତ


ଭୁଲିବାକୁ ଚାହେଁ ହେଲେ ଭୁଲିପାରେନି
ତୁମ ନିରୀହ ଚେହେରା
ଅତିବାହିତ ହୋଇଥିବା ଅଭୁଲା ମୁହୂର୍ତ୍ତ
ସ୍ମୃତିର ଅସରନ୍ତି ପସରା ।
ମନେପଡେ ଅତୀତ ସମୟ ଗୁଡ଼ିକ
ଗଲେ ଆଖି ଅନ୍ଧାର ଭିତରକୁ
ଖୋଲିଦେଲେ ଆଖି ଚାଲିଯାଏ ସବୁ
ଅଜଣା ଆଉ କେଉଁ ରାଇଜକୁ ।
କାହିଁକି ହୁଏ ବାରମ୍ବାର ଏପରି
ଅନୁଭବର ଶୃଙ୍ଖଳା ଭିତରେ
କୋଣ ଅନୁକୋଣ ପ୍ରକମ୍ପିତ ହୁଏ
ତୁମ ଚିହ୍ନା ମୁହଁ ପାଖରେ ।
ସବୁକିଛି ଦୂରେଇ ଗଲା ପରେ ପରେ
କାହିଁକି ଯେ ମନ ଖୋଜେ
କେଉଁ ଗହଳି ଚାଦର ତଳେ ଉଙ୍କିମାରେ
ବୃଥା ଭାବନାର ନାନା ରଙ୍ଗେ ।
ଭୁଲ ନଥାଇ କରିଥିବା ପ୍ରାୟଶ୍ଚିତ ପାଇଁ
ଦୋଷ ବାଟକାଟି ଯାଏ
ଭୁଲିବାର ବାହାନା କରୁକରୁ କାହିଁକି
ଅଭୁଲା ମୁହୂର୍ତ୍ତ ମନେ ପଡ଼ିଯାଏ ।
ଭୁଲିବାକୁ ଯେତେ ଚେଷ୍ଟା କରୁଥାଏ
ଶୟନେ ସପନେ ଜାଗରଣେ
ପାଇବାର କେଉଁ ଲୋଭ ଅପେକ୍ଷା କରିଥାଏ
ଭୁଲିଯିବା ପାଖ କୋଣେ ।