ଅଭିଶପ୍ତା
ଅଭିଶପ୍ତା
ମୁଁ ଅହଲ୍ୟା ତ ନୁହେଁ
ତଥାପି କେଉଁ କାଳରୁ
ପଡ଼ିରହିଛି ମୁଁ
ଭିନ୍ନ ଏକ ଅମଡ଼ା ବାଟରେ,
ବୋଧହୁଏ ଏମିତି ହିଁ
ଅଲୋଡ଼ା ଭାବେ ପଡ଼ି ପଡ଼ି
ପାଲଟିଛି ପଥର,
ଦିନ ଥିଲା ,
ମୁଁ ବି ଥିଲି ଅପେକ୍ଷାରତ
ଆସିବେ ରଘୁକୂଳ ତିଳକ
ତାଙ୍କ ପଦ-ସ୍ପର୍ଶ ମାତ୍ରକେ ,
ଏ ଶୁଷ୍କ ଜୀବନ-ପାଦପ
ନବ-ପଲ୍ଳବରେ ହୋଇଉଠିବ
ପଲ୍ଲବିତ ;
ବିତିଗଲା ଦିନ ପରେ ଦିନ
ଆସିଲେ ନାହିଁ ଶ୍ରୀରାମ ,
ପଥର ହୃଦୟ ଭିତରେ
କାହିଁ କେଉଁଠି
ଉଙ୍କି ମାରୁଥିବା ,
ଜୀବନ୍ୟାସର କ୍ଷୀଣ ଆଶା ଟିକକ ମଧ୍ୟ,
ଧୀରେ ଧୀରେ ମଉଳି ଗଲା ;
ନିଜ ସହ ନିଜେ କରି ଚାଲିଲି
ଅନେକ ସାଲିସ୍ ,
ଅତି ଆପଣାର ଲାଗିଲା
ଏଇ ପ୍ରସ୍ତରମୟ ଜୀବନ,
ନା ଏଠି ଅଛି କିଛି ଅଭିପ୍ସା
ନା ଅଛି ଉଚ୍ଚ ଆକାଂକ୍ଷା ,
ପ୍ରେମ ମାଗିବାର ଅଭିଳାଷା ଟିକକ
ମରିଯିବା ପରେ ,
ପ୍ରତାରଣାର ଆଉ କେତେ ସାହସ ଯେ !
ପଥର ହୃଦୟରେ କରିପାରିବ
ଲୁହର ସଞ୍ଚାର !!!
ଆଜି ମୁଁ ଅନେକ ମାତ୍ରାରେ ଖୁସି
ଥରେ ହସ-ଲୁହ ଠାରୁ
ଉର୍ଦ୍ଧ୍ବରୁ ଉଠିଯିବା ପରେ ,
ଅନେକ ମାତ୍ରାରେ ନିଜର ନିଜର ଲାଗେ
ପ୍ରସ୍ତର ଶରୀର ଆଉ ପଥୁରିଆ ମନ ,
ଦୁନିଆଁ ଆଖିରେ
ହୋଇପାରେ ମୁଁ ଅଭିଶପ୍ତା ,
ମୋ ମୁକ୍ତି ପାଇଁ ଅନିବାର୍ଯ୍ୟ ହୋଇପାରନ୍ତି
ଜଣେ ଜଣେ ରାମଚନ୍ଦ୍ର ,
କିନ୍ତୁ ମୋତେ ଥରେ ପଚାରି ଦେଖ ତ !
କ'ଣ ବା ମୋର
ଆନ୍ତରିକ ମନସ୍କାମନା !
ଲୋଡ଼ା ନାହିଁ ମୋର
ମାନବର କାୟା ,
ମୁକ୍ତିର ଅଦମ୍ୟ ଇଚ୍ଛା ;
ପ୍ରସ୍ତର ଶରୀରେ
ସନ୍ତୁଳିତ ପ୍ରାଣ ,
ନାହିଁ କିଛି ଅଭିଳାଷା ;