ଅଭିସାରିକା
ଅଭିସାରିକା
ବିବାହ ଉତ୍ତାରେ ଚାଲିଗଲ ପ୍ରିୟ
ସୀମାନ୍ତୁ ଡାକରା ପାଇ,
ବିନିଦ୍ରେ ବିରହେ ନିଶି ମୁଁ ପୁହାଏ
ନବବଧୂଟିଏ ହୋଇ ।
ହୄଦୟର କୋହ ଚକ୍ଷୁପଥେ ଆସି
ସାଜେ ମୋ କଲମ କାଳି,
ମନ ରାଇଜର ଗୋପନୀୟ କଥା
ଦିଏ କାଗଜରେ ଢାଳି ।
ଗ୍ରୀଷମେ ନିଦାଘ ବସନ୍ତେ ମଳୟ
ସବୁ ଛୁଆଁ ଲାଗେ ସମ,
ଅଭିସାରିକା ମୁଁ ନିଜକୁ ସଜାଇ
ଚାହିଁଅଛି ପଥ ତୁମ ।
ଅନିଦ୍ରା ହୋଇଣ ସୀମାନ୍ତ ଜଗିଛ
ଆଖି ମୁଦି ଦେଖେ ମୁଖ,
ଦୂରତ୍ଵେ ମିଳନ ଦୂରତ୍ଵେ ବିରହ
ଏଇ ବୋଧେ ଆମ ସୁଖ ।
