STORYMIRROR

Lata Behera

Abstract

4  

Lata Behera

Abstract

ଅଭିନୟ

ଅଭିନୟ

2 mins
300


ଏ ଶରୀର ଅଟେ ରଙ୍ଗମଞ୍ଚ ଗୋଟେ

      ଆମେ ତାର କଳାକାର 

କେତେ ତା ଚେହେରା କେତେ ତାର ରୂପ 

      ନାହିଁ କିଛି ପଟ୍ଟାନ୍ତର ।


ଶିଶୁଟିଏ ହେଇ ମାଆ କୋଳେ ସିଏ

      ବଢେ ମହା ଆନନ୍ଦରେ  

ତା ହାତ ଧରି ଚାଲି ଶିଖିଥାଏ 

       ବଡ ହୁଏ ଦୁନିଆରେ ।


ପାଠ ପଢିବାକୁ ବିଦ୍ୟାଳୟ ଯାଏ

ଚରିତ୍ର ସଂସ୍କାର ସେଠୁ ଶିଖିଥାଏ 

     ଶିଖେ ଭଲ ବ୍ୟବହାର 

 ହେଇ ତାର କଳାକାର ।


ଯୁବାବସ୍ଥେ ସିଏ କର୍ମରେ ଅଗ୍ରଣୀ

       ଘର ସଂସାର ସେ କରେ

ଘରର ଦାୟିତ୍ବ ସବୁ ଭଲ ମନ୍ଦ 

      ନେଇ ଥାଏ ମଥା ପରେ ।


ବୃଦ୍ଧ ଅବସ୍ଥାରେ ଘରର ମୁରବୀ

     ମେରୁ ଦଣ୍ଡ ହେଇଯାଏ 

ସୁରକ୍ଷା କବଚ ପାଲଟି ଯାଇ ସେ

     ଘର ଜଗି ରହିଥାଏ ।


କେତେ ରୂପରେ ସେ କରେ ଅଭିନୟ

ଚଳାଏ ସଂସାର ହେଇ ସେ ନିର୍ଭୟ

ତାକୁ କୋଟି ନମସ୍କାର

ସିଏ ଭଲ କଳାକାର ।


ଜୀବନ ବାସ୍ତବ ସତ ଅଭିନୟ 

     ଦେଖି ଘୂରି ଯାଏ ମଥା

ଏତେ ଯେ ସୁନ୍ଦର ଅଭିନୟ ତାଙ୍କ 

     ଟେର୍ ମିଳିବନି କଥା ।


ଉପରେ ଉପରେ ପାଣି ସେ ସିଞ୍ଚିଣ

       ଭିତରେ ଚେର କାଟନ୍ତି 

ମିତ୍ରତାର ହାତ ବଢେଇ ଆଗରେ

       ପଛରୁ ଛୁରୀ ମାରନ୍ତି ।


କଥାରେ ଏମିତି ଭୁଲେଇ ନିଅନ୍ତି 

ଛଳନା କରିଣ ଫସେଇ ଦିଅନ୍ତି

      ବାହାରିବା କଷ୍ଟକର

ସିଏ ଭଲ କଳାକର ।


ନାରୀ ଅଭିନୟ ନୁହେଁ କେବେ ଥୟ 

     କେତେ ରୂପରେ କରନ୍ତି

ଜନନୀ ଭଗିନୀ ଜୟାର ଭୂମିକା

     ନିର୍ଭୁଲ ଭାବେ ଲିଭାନ୍ତି ।


କନ୍ୟା ଭଗିନୀର ରୂପରେ ସେ ପୁଣି 

      ଘର ମର୍ଯ୍ୟଦା ରଖନ୍ତି 

ଜନନୀ ଓ ଜାୟା ଭୁମିକାରେ ସିଏ

     କୁଳ ବଧୂ ସାଜିଥାନ୍ତି ।


ସ୍ୱାମୀ ହାତ ଧରି ବାଟ ଚାଲୁଥାଏ

ସହଧର୍ମିଣୀ ସେ ଅର୍ଦ୍ଧାଙ୍ଗିନୀ ହୁଏ 

     ସଭିଁଙ୍କୁ କରେ ନିଜର

ହେଇ ସିଏ କଳାକାର ।


ଏଇ ନାରୀ ଅଟେ ସାକ୍ଷାତ ତ ଦେବୀ 

     ରକ୍ଷା କରଇ ଧରିତ୍ରୀ 

କେତେବେଳେ ସିଏ ରାକ୍ଷାସୀ ପାଲଟି

    ରକ୍ତ ନେଇଥାଏ ଶୋଷି।


ଏ ଘର ମାଉସୀ ସେ ଘର ପୀଉସୀ 

     ହେଇ ଘର ଭାଙ୍ଗି ଦିଏ

କରେ ମନ୍ଥରାର ଅଭିନୟ ଭଲ

   ସୁଖ ଶାନ୍ତି ଲୋଟି ନିଏ ।


ଉଜୁଡାଇ ଦିଏ କେତେ ଯେ ସଂସାର

ନିଜର ହେଇ ସେ ହୁଏନି କାହାର 

      ସ୍ୱାର୍ଥରେ କରେ ସେ ଘର

ସିଏ ଭଲ କଳାକାର ।


ରାଜନୀତି କଥା ନ କହିବା ଭଲ

      ସିଏ ପୂରା ବେଇମାନୀ

କଥା ଦେଇ ସିଏ କଥା ରଖନ୍ତି ନି

     ଗଢନ୍ତି ଭଲ କାହାଣୀ ।


କୁଜି ନେତାଙ୍କୁ ସେ ସାଥିରେ ରଖିଣ

      ଦେଶକୁ ଚଳାଉଥାନ୍ତି 

ଦିନରେ ସେ ଭଦ୍ର ମୁଖାକୁ ପିନ୍ଧିଣ

      ରାତିରେ ଗୁଣ୍ଡା ଲଗାନ୍ତି ।


ବୁଝି ପାରନ୍ତିନି ତାଙ୍କ ନିଜ ଲୋକ

ତାଙ୍କରି ପଛରେ କରନ୍ତି ଚକ୍ରାନ୍ତ 

      ଛଡାନ୍ତି କ୍ଷମତା ତାର ।

ସିଏ ଭଲ କଳାକାର ।


ସ୍ୱାର୍ଥରେ ପାଗଳ ହେଇଣ ଯେ ନର

       ଅଭିନୟ କରୁଥାନ୍ତି

ଅଢେଇ ଦିନିଆ ଏଇତ ଜୀବନ 

     ହେଲେ ସିଏ ଭୁଲି ଯାନ୍ତି ।


ଅନ୍ୟାୟ ଅଧର୍ମେ ଅର୍ଥ ଲାଳସାରେ 

     ସବୁ ନିଜର କରନ୍ତି 

ମଶାଣୀର ଜୁଇ ହାତ ଠାରି ଡାକେ 

      ଏକଥା ଭୁଲି ଯାଆନ୍ତି ।


କାଳର ବଳରେ ଅଭିନୟ ଏଠି 

ସରିଯିବ ଦିନେ ସରିଲେ ଡିଉଟି

      ଯିବ ତ ଶମନ ପୁର

ହେଇ ଭଲ କଳାକାର ।

       

ସମସ୍ତେ କରନ୍ତି ଅଭିନୟ ଏଠି

     କେହି ନୁହନ୍ତି କାହାର 

ସ୍ୱାର୍ଥ ପାଇଁ ସବୁ ନିଜର କରନ୍ତି

     ସ୍ୱାର୍ଥ ସରିଗଲେ ଦୂର ।


ଆସିବନି ଯଦି ତୁମେ କାହା କାମେ

     କେହି ରଖିବେନି ପାଖ

ଘୃଣା କରୁଥିବେ ଦୂରେଇ ରହିବେ 

     ଚାହିଁବେନି ତୁମ ମୁଖ ।


କାଳିଆ ପାଖରେ ନାହିଁ ଅଭିନୟ 

ଭକ୍ତିରେ ଜିତିଲେ ତାହାରି ହୃଦୟ

ସାଥି ସେ ଯୁଗ ଯୁଗର

ଛଳନା ନଥାଏ ତାର

ସିଏ ଭଲ କଳାକାର ।


Rate this content
Log in

Similar oriya poem from Abstract