ଅଭିନୟ
ଅଭିନୟ
ଏ ଶରୀର ଅଟେ ରଙ୍ଗମଞ୍ଚ ଗୋଟେ
ଆମେ ତାର କଳାକାର
କେତେ ତା ଚେହେରା କେତେ ତାର ରୂପ
ନାହିଁ କିଛି ପଟ୍ଟାନ୍ତର ।
ଶିଶୁଟିଏ ହେଇ ମାଆ କୋଳେ ସିଏ
ବଢେ ମହା ଆନନ୍ଦରେ
ତା ହାତ ଧରି ଚାଲି ଶିଖିଥାଏ
ବଡ ହୁଏ ଦୁନିଆରେ ।
ପାଠ ପଢିବାକୁ ବିଦ୍ୟାଳୟ ଯାଏ
ଚରିତ୍ର ସଂସ୍କାର ସେଠୁ ଶିଖିଥାଏ
ଶିଖେ ଭଲ ବ୍ୟବହାର
ହେଇ ତାର କଳାକାର ।
ଯୁବାବସ୍ଥେ ସିଏ କର୍ମରେ ଅଗ୍ରଣୀ
ଘର ସଂସାର ସେ କରେ
ଘରର ଦାୟିତ୍ବ ସବୁ ଭଲ ମନ୍ଦ
ନେଇ ଥାଏ ମଥା ପରେ ।
ବୃଦ୍ଧ ଅବସ୍ଥାରେ ଘରର ମୁରବୀ
ମେରୁ ଦଣ୍ଡ ହେଇଯାଏ
ସୁରକ୍ଷା କବଚ ପାଲଟି ଯାଇ ସେ
ଘର ଜଗି ରହିଥାଏ ।
କେତେ ରୂପରେ ସେ କରେ ଅଭିନୟ
ଚଳାଏ ସଂସାର ହେଇ ସେ ନିର୍ଭୟ
ତାକୁ କୋଟି ନମସ୍କାର
ସିଏ ଭଲ କଳାକାର ।
ଜୀବନ ବାସ୍ତବ ସତ ଅଭିନୟ
ଦେଖି ଘୂରି ଯାଏ ମଥା
ଏତେ ଯେ ସୁନ୍ଦର ଅଭିନୟ ତାଙ୍କ
ଟେର୍ ମିଳିବନି କଥା ।
ଉପରେ ଉପରେ ପାଣି ସେ ସିଞ୍ଚିଣ
ଭିତରେ ଚେର କାଟନ୍ତି
ମିତ୍ରତାର ହାତ ବଢେଇ ଆଗରେ
ପଛରୁ ଛୁରୀ ମାରନ୍ତି ।
କଥାରେ ଏମିତି ଭୁଲେଇ ନିଅନ୍ତି
ଛଳନା କରିଣ ଫସେଇ ଦିଅନ୍ତି
ବାହାରିବା କଷ୍ଟକର
ସିଏ ଭଲ କଳାକର ।
ନାରୀ ଅଭିନୟ ନୁହେଁ କେବେ ଥୟ
କେତେ ରୂପରେ କରନ୍ତି
ଜନନୀ ଭଗିନୀ ଜୟାର ଭୂମିକା
ନିର୍ଭୁଲ ଭାବେ ଲିଭାନ୍ତି ।
କନ୍ୟା ଭଗିନୀର ରୂପରେ ସେ ପୁଣି
ଘର ମର୍ଯ୍ୟଦା ରଖନ୍ତି
ଜନନୀ ଓ ଜାୟା ଭୁମିକାରେ ସିଏ
କୁଳ ବଧୂ ସାଜିଥାନ୍ତି ।
ସ୍ୱାମୀ ହାତ ଧରି ବାଟ ଚାଲୁଥାଏ
ସହଧର୍ମିଣୀ ସେ ଅର୍ଦ୍ଧାଙ୍ଗିନୀ ହୁଏ
ସଭିଁଙ୍କୁ କରେ ନିଜର
ହେଇ ସିଏ କଳାକାର ।
ଏଇ ନାରୀ ଅଟେ ସାକ୍ଷାତ ତ ଦେବୀ
ରକ୍ଷା କରଇ ଧରିତ୍ରୀ
କେତେବେଳେ ସିଏ ରାକ୍ଷାସୀ ପାଲଟି
ରକ୍ତ ନେଇଥାଏ ଶୋଷି।
ଏ ଘର ମାଉସୀ ସେ ଘର ପୀଉସୀ
ହେଇ ଘର ଭାଙ୍ଗି ଦିଏ
କରେ ମନ୍ଥରାର ଅଭିନୟ ଭଲ
ସୁଖ ଶାନ୍ତି ଲୋଟି ନିଏ ।
ଉଜୁଡାଇ ଦିଏ କେତେ ଯେ ସଂସାର
ନିଜର ହେଇ ସେ ହୁଏନି କାହାର
ସ୍ୱାର୍ଥରେ କରେ ସେ ଘର
ସିଏ ଭଲ କଳାକାର ।
ରାଜନୀତି କଥା ନ କହିବା ଭଲ
ସିଏ ପୂରା ବେଇମାନୀ
କଥା ଦେଇ ସିଏ କଥା ରଖନ୍ତି ନି
ଗଢନ୍ତି ଭଲ କାହାଣୀ ।
କୁଜି ନେତାଙ୍କୁ ସେ ସାଥିରେ ରଖିଣ
ଦେଶକୁ ଚଳାଉଥାନ୍ତି
ଦିନରେ ସେ ଭଦ୍ର ମୁଖାକୁ ପିନ୍ଧିଣ
ରାତିରେ ଗୁଣ୍ଡା ଲଗାନ୍ତି ।
ବୁଝି ପାରନ୍ତିନି ତାଙ୍କ ନିଜ ଲୋକ
ତାଙ୍କରି ପଛରେ କରନ୍ତି ଚକ୍ରାନ୍ତ
ଛଡାନ୍ତି କ୍ଷମତା ତାର ।
ସିଏ ଭଲ କଳାକାର ।
ସ୍ୱାର୍ଥରେ ପାଗଳ ହେଇଣ ଯେ ନର
ଅଭିନୟ କରୁଥାନ୍ତି
ଅଢେଇ ଦିନିଆ ଏଇତ ଜୀବନ
ହେଲେ ସିଏ ଭୁଲି ଯାନ୍ତି ।
ଅନ୍ୟାୟ ଅଧର୍ମେ ଅର୍ଥ ଲାଳସାରେ
ସବୁ ନିଜର କରନ୍ତି
ମଶାଣୀର ଜୁଇ ହାତ ଠାରି ଡାକେ
ଏକଥା ଭୁଲି ଯାଆନ୍ତି ।
କାଳର ବଳରେ ଅଭିନୟ ଏଠି
ସରିଯିବ ଦିନେ ସରିଲେ ଡିଉଟି
ଯିବ ତ ଶମନ ପୁର
ହେଇ ଭଲ କଳାକାର ।
ସମସ୍ତେ କରନ୍ତି ଅଭିନୟ ଏଠି
କେହି ନୁହନ୍ତି କାହାର
ସ୍ୱାର୍ଥ ପାଇଁ ସବୁ ନିଜର କରନ୍ତି
ସ୍ୱାର୍ଥ ସରିଗଲେ ଦୂର ।
ଆସିବନି ଯଦି ତୁମେ କାହା କାମେ
କେହି ରଖିବେନି ପାଖ
ଘୃଣା କରୁଥିବେ ଦୂରେଇ ରହିବେ
ଚାହିଁବେନି ତୁମ ମୁଖ ।
କାଳିଆ ପାଖରେ ନାହିଁ ଅଭିନୟ
ଭକ୍ତିରେ ଜିତିଲେ ତାହାରି ହୃଦୟ
ସାଥି ସେ ଯୁଗ ଯୁଗର
ଛଳନା ନଥାଏ ତାର
ସିଏ ଭଲ କଳାକାର ।
