ଅଭିମାନ
ଅଭିମାନ
ହୃଦୟର ଅଭିମାନ
ଅଜାଡି ହୋଇପଡେ ମନର ସୂକ୍ଷ୍ମ ଅସ୍ତିତ୍ୱ ଉପରେ
ମୁକୁଳି ପାରେନା ଜୀବନ
କେମିତି ଗୋଟେ ଦ୍ବନ୍ଦ୍ୱ ଭିତରେ
ଅସ୍ତବ୍ୟସ୍ତ ହୋଇପଡେ ସମ୍ପର୍କ ।
ଆପଣା ମଣିଷର
ଭଲ ମନ୍ଦ ଜାଣିବାକୁ ବ୍ୟାକୁଳ ମନ
ଅଭିମାନ କିନ୍ତୁ ପଥରୋଧ କରିବସେ
ଶବ୍ଦଗୁଡିକ ଉଚ୍ଛନ୍ନ ହୋଇପଡନ୍ତି
କିନ୍ତୁ ପୂର୍ଣ୍ଣତା ଲଭିପାରନ୍ତି ନାହିଁ ।
ସୁଖର ଆବେଗଗୁଡିକ
ନିସ୍ତେଜ ହୋଇଯାଆନ୍ତି ବିନା ସଂକୋଚରେ ।
କୁହୁଳିଉଠୁଥିବା ଭାବନାଗୁଡିକ
ନିଜ ନିଜ ଭିତରେ ସଙ୍ଘର୍ଷରେ ଲିପ୍ତ
ପରିଣତି କିନ୍ତୁ ଅଭିମାନ ପାଖରେ ଅଟକିଯାଏ ।
ଅଭିମାନ ହସେ
ମନକୁ ହୃଦୟକୁ କବଳିତ କରି
ଅସହାୟ ମଣିଷ କାରାରୁଦ୍ଧ ହୋଇଯାଏ ।
ସମୟ କିନ୍ତୁ ନିଷ୍ଠୁର ହୁଏନା
ସ୍ମୃତି ବିଚ୍ଛାଇ ଦିଏ
ଖୁବ ସନ୍ତର୍ପଣରେ ।
ଚେଇଁ ଉଠେ ଆଶା
ଶକ୍ତ ହୋଇଯାଏ ମନ
ହୃଦୟ କିନ୍ତୁ ମୁକ୍ତ ହୋଇପାରେନା ।
ଅଭିମାନ ବାଢେ ଅଭିଯୋଗ
ଉତ୍ତର ଦେଇପାରେନା ମନ
ଆକ୍ତାମାକ୍ତା ହୋଇଉଠେ ଜୀବନ।