ଅଭାବୀ ଜୀବନ
ଅଭାବୀ ଜୀବନ
ମାନ ସମ୍ମାନ ଅର୍ଥର ଆଢୁଆଳରେ
ଲୁଚିଯାଏ ମଣିଷର ଅଭାବ ସବୁ
କେହି କେବେ ପରଖିପାରନ୍ତି ନାହିଁ
ଅଭାବୀ ଜୀବନର ସଂଜ୍ଞା ।
ଅନୁଭବୀ ର ହୃଦୟକୁ ତନ୍ନ ତନ୍ନ କରି
ପଢିବାକୁ କିଏ ବା ଚାହିଁବ ?
ଦାମୀ ପୋଷାକ ଏବଂ ପ୍ରସାଧନ ସାମଗ୍ରୀର
ଉପସ୍ଥିତରେ ବାହ୍ୟ ସୁଖର
ଅନୁଭବକୁ ବାଣ୍ଟିବାକୁ ହୁଏ ସମାଜକୁ ।
ଭଡାଘରର ଚାରିକାନ୍ଥ ଭିତରେ
ବିଗଳିତ ହୃଦୟର ଅନ୍ତଃସ୍ବର
ବଖାଣି ବସେ ଅଭାବୀ ଜୀବନର
ପ୍ରକୃତ ରହସ୍ୟକୁ ।
ସମୟ କିନ୍ତୁ ଭାରି ଚାଲାକ
ଚାକିରୀଟିଏ କଣ ଜୀବନର
ସୁନ୍ଦର ଚଲାପଥ ନୁହେଁ କି ?
ପ୍ରଶ୍ନ କରେ ବାରମ୍ବାର ,
ଜୀବନ କିନ୍ତୁ
ଅଭାବୀର ଦୋଛକିରେ ।
ବିରାଟ ଶୂନ୍ୟତାର ସଂକୀର୍ଣ୍ଣ ବାତାବରଣ ଭିତରେ
ମନ ଝୁରିହୁଏ ଖୁସିର ମୁହୂର୍ତ୍ତ ସବୁକୁ ।
ନିଜ ହାତ ତିଆରି ଖାଦ୍ୟ ଭିତରେ
ଜୀବନ ଖୋଜିହେଉଥାଏ
ବୋଉ ହାତରନ୍ଧା ଖାଦ୍ୟର ମହକ,
ଭଡା ଘରର ପ୍ରତିଟି ଚିଜ ଭିତରେ
କାହିଁକି କେଜାଣି ଜୀଵନ ସନ୍ତୁଷ୍ଟ ହୋଇପାରେନି,
ଆଖି ଖୋଜୁଥାଏ ନିଜ ଘରେ
ପ୍ରତି କ୍ଷଣରେ କାମରେ ବ୍ୟବହୃତ ଚିଜ ସବୁକୁ ।
ଥାଳିରେ ଭଳି ଭଳି ଖାଦ୍ୟରେ
ଭୋକର ଦାଉକୁ ନାଶ କରିବା ବେଳକୁ
ଅନ୍ତର ଖୋଜିହେଉଥାଏ
ଭାଇ ଭଉଣୀଙ୍କ ସହ ମିଶି
ଏକାଠି ଖାଇବାର ସେଇ ସୁଖଦ ସମୟକୁ ।
ଜୀବନ !
ରୋଗଶୋକର ଖଣି ଟିଏ ଯେମିତି ,
ଟିକିଏ ଅସୁସ୍ଥତାରେ
ଭାଙ୍ଗିପଡ଼େ ଶରୀର
ନୀରବରେ
ଝୁରିହେଉଥାଏ ବୋଉ ହାତର ପରଶକୁ ।
ପର୍ବଟିଏ ଆସିଲେ ଆନ୍ଦୋଳିତ
ହେଉଥାଏ ହୃଦୟ ନିଃସଙ୍ଗତାର ଆବରଣ ଭିତରେ ।
କେଇଖଣ୍ଡ ବହି,
କିଛି ବୈଦ୍ୟୁତିକ ମନୋରଞ୍ଜନଧର୍ମୀ ଉପକରଣ,
ଧଳା କାଗଜରେ ସଜ୍ଜିତ ଡାଏରୀ
ଦୂର କରିପାରନ୍ତି ନାହିଁ ଜୀବନର
ଆବେଗ ଅନୁରାଗରେ ସ୍ପନ୍ଦିତ
ଅତି ପରିଚିତ ଅନ୍ତରଙ୍ଗ ବନ୍ଧୁବାନ୍ଧବୀଙ୍କ ଅନୁପସ୍ଥିତିକୁ ।
ଜୀବନ,
ସମୟର ଗତି ସହ ସମଯୋଜିତ ,
ମାୟାମୋହରେ ଆଛାଦିତ,
ସଫଳତା ପ୍ରାପ୍ତିର ଆକାଂକ୍ଷାରେ ଯୁଦ୍ଧରତ ।
ଈଶ୍ୱରଙ୍କ ଯାଚିତ ହେଉ କିମ୍ବା
ହେଉ କର୍ମର ଫଳସ୍ୱରୂପ
ନିର୍ଦ୍ବନ୍ଦ୍ୱରେ ପ୍ରକାଶିଥାଏ ପୂର୍ଣ୍ଣତାର ପ୍ରତିଛବି ,
ପରମ ସନ୍ତୋଷ,
ଜନ୍ମ ସାର୍ଥକତାର ଆଶ୍ୱାସନା ।
କିନ୍ତୁ
ଆତ୍ମତୃପ୍ତିର ବୁକୁତଳେ
ଶକ୍ତ ଆଘାତ ଦେଇବସେ
ଅଲକ୍ଷ୍ୟରେ
ଛାଡ଼ିଆସିଥିବା ଅମୂଲ୍ୟ ଉପହାରସବୁ ।
ଅଦୃଶ୍ୟରେ
ବାରମ୍ବାର ଉପହାସ କରୁଥାଏ
ମସ୍ତିଷ୍କ ଆଉ ମନ ଭିତରେ
ଜାଗ୍ରତ ସୂକ୍ଷ୍ମ ଚିନ୍ତନ ,
ବାସ୍ତବତାର ପ୍ରତିଧ୍ୱନୀରେ
ମୋହର ପ୍ରହେଳିକା ଭିତରେ
ଅସ୍ତବ୍ୟସ୍ତ ହେଉଥାଏ
"ଅଭାବୀ ଜୀବନ" ।
