ଅଭାବ
ଅଭାବ
ଅଭାବେ ଯେଣୁ ସ୍ଵଭାବ ନଷ୍ଟ
କହନ୍ତି ବଡ଼ ଲୋକ,
ଏହି ଅଭାବ ପଛରେ ଥାଏ
କିଛି କାମନା ସ୍ଵାର୍ଥ।
ଧନୀ ଗରିବ ଯାହାଠୁ ବୁଝ
ଅଭାବ ସଭିଙ୍କର,
କାହାର ଅଛି ଧନ ଅଭାବ
କାହାର ନାହିଁ ଘର।
ଅଛି କାହାର ପୁତ୍ର ଅଭାବ
କାହାର ଅଛି ରୋଗ,
କାହାର ଅଛି ପ୍ରେମ ଅଭାବ
ବଢିଯାଏ ତା' ରାଗ।
କାହାର ଭାବ ଅଛି ଅଭାବ
ଜାଣେ ତ ନାହିଁ ଭକ୍ତି,
ଭୟରେ ଦିନ କାଟୁଛି ସିଏ
ଅଭାବ ଯାର ଶକ୍ତି।
ମନେ ସନ୍ତୋଷ ହେଲେ ଅଭାବ
ମିଳଇ ନାହିଁ ଶାନ୍ତି,
କାମନା ବାସ ବଢଇ ଆଶ
ଯାହାର ଦିବାରାତି।
ସନ୍ଦେହ ରୋଗ ବଢୁଛି ଯାର
ବିଶ୍ଵାସ ଭାବ ନାହିଁ,
ଅଭାବ ଯେଣୁ ପାଠ ଯାହାର
ମୁରୂଖ ଜନ ସେହି।
ମଦ୍ଯପ ଯେତେ ପିଇଲେ ମଦ
ମନ ତା ' ବୁଝେ ନାହିଁ,
ଲୋଭୀ ମଣିଷ ଅଭାବ ଅର୍ଥ
ଆହୁରି ଖୋଜୁଥାଇ।
କିଛି ନା କିଛି ଅଭାବ ଅଛି
ସବୁ ମଣିଷ ଠାରେ,
ଯେମିତି ଜହ୍ନଠାରେ ରହିଛି
କଳଙ୍କ ଆକାଶରେ।
ସଙ୍ଗୀତ ବାଲା ଚିତ୍ର ଜାଣେନି
ଗାୟକ ଗୀତ ଲେଖା,
ରାଜ ମିସ୍ତିରୀ ପାଖେ ଅଭାବ
ଇଞ୍ଜିନିୟରିଂ ଶିକ୍ଷା।
ଯାହାର କାନ ଅଛି ତ ପୁଣି
କାହାର ସୁନା ନାହିଁ,
ଯାହାର ଅଛି ଅମାପ ଧନ
ଭୋଗିଲା ବାଲା କାହିଁ?
ହୁଅନ୍ତୁ ଟାଟା ବିଲା କି ମନ୍ତ୍ରୀ
ହୁଅନ୍ତୁ ରାଷ୍ଟ୍ରପତି,
କିଛି ନା କିଛି ଅଭାବ ତାଙ୍କୁ
ଅବଶ୍ୟ ଅଛି ଏଠି।
କବିଙ୍କ ପାଖେ ବେଳ ଅଭାବ
ପ୍ରେମିକ ପାଇଁ ପ୍ରେମ,
ଅନ୍ଧାର ରାତି ଚୋର ଖୋଜିବ
କରିବ ଚୋରୀ କାମ।
ଅଭାବ ଏକ ମନ ଆବେଗ
କିଛିଟା ଅସନ୍ତୋଷ,
ମନେ ସଂଯତ ଭାବ ଆଗତ
ରହେନା ଅବଶୋଷ।
ଯେଣୁ କବିତା ଲେଖି ପାରୁନି
ଅଭାବ ମୋର ଜ୍ଞାନ,
ତେଣୁ ପାଠକ କବିତା ପଢି
ଊଣା କରନି ମନ।