ଆଉ କେତେ ଦିନ
ଆଉ କେତେ ଦିନ
ବିତି ଗଲା ଦୀର୍ଘ ଦିନ ତୁମ କଥା ଭାବି
ସାହା ଭରଷା କେବଳ ତୁମ ଫଟୋଛବି ।
ତୁମେ ମୋ ନୟନମଣି, ଅମୃତ ପଶରା
ମୋ ଭାଗ୍ୟ ଆକାଶେ ତୁମେ ପାହାଁନ୍ତିଆ ତାରା ।
କେତେ ପୂଣ୍ୟ ଅରଜିଣ ପାଇ ଥିଲି ତୁମେ
ବିଧି ଆଜି ବାମ ହେଲା ପକାଇଲା ଭ୍ରମେ ।
ବୁଝି ପାରିଲନି ଥରେ ମୋ ଅନ୍ତର କଥା
ଆଦରିଲ ଅନ୍ଧ ଭାବେ ପୁରାତନ ପ୍ରଥା ।
ତିରିଶ ବରଷ ଚାହିଁ ଆଖିରେ ଅନ୍ଧାର
କିଏ ଗଢି ଦେଲା ତୁମେ କଷଟି ପଥର ।
ପଦିଏ କଥାରେ ତୁମେ ଛାଡି ଚାଲିଗଲ
ସେ କଥାରେ କେତେ ସ୍ନେହ ଓଜନ ନକଲ ।
ତୁମ ବିନା ଶୁନ୍ୟ ଲାଗେ ମୋ ଘର ଦୁଆର
ଅଙ୍ଗହୀନ ବୃଦ୍ଧାବସ୍ଥା ଯେହ୍ନେ କଟା ପର ।
କି ଅବା ପାଇଲ ତୁମେ ମୋ ଠାରୁ ଦୂରେଇ
ନୀରବ ବେଦନା ତୁମେ ନପାରୁଛ କହି ।
ସମ ପରି ଏକ ପ୍ରାନ୍ତେ ମୋ ହୀନ ଅବସ୍ଥା
ପରିଣତ ବୟସରେ ତୁମ ଠାଇଁ ଆସ୍ଥା ।
ତୁମେ ମୋ କଅଁଳ ଖରା ପ୍ରଭାତୀ ଗୀତିକା
ତୁମଠୁ ବିୟୋଗ ହୋଇ ଲଭିଲି ମୁଁ ଶିକ୍ଷା ।

