STORYMIRROR

Jayashree Maharana

Abstract

2  

Jayashree Maharana

Abstract

ଆଉ ବଜାଅନା

ଆଉ ବଜାଅନା

1 min
326

ଆଉ ବଜାଅନା ବଇଁଶୀକୁ କାହ୍ନା

ଶୁଣିଦେଲେ ତା'ର ମଧୁ ମୂର୍ଚ୍ଛନା 

କାହିଁକି କେଜାଣି ହୃଦେ ପ୍ରୀତିରାଗ

ଭରିଗଲେ ହୁଏ ମୁଁ ଆନମନା


ଭୁଲିଯାଏ ଘର ସମ୍ପର୍କର ଡୋର

ଭୁଲିଯାଏ ସମାଜର ତାଡନା

ଅଧିର ହୋଇ ମୁଁ କଳସୀକୁ ନେଇ

ଚାଲିଆସେ ନିତି ଏଇ ଯମୁନା


ହୃଦୟକୁ ମୋର ଆଉ ଜଳାଅନା

ଦଗାଦିଆ ତୁମେ କାଳିଆକାହ୍ନା

ଟିକିଏ ମୁହୂର୍ତ୍ତ ଦୂରେଇ ରହିଲେ

ହୃଦୟେ ସ୍ପନ୍ଦନ ହୁଏ ଦ୍ଵିଗୁଣା


ଦିନରାତି ନାଚେ ଆଖି ଆଗେ ଛବି

ମନେ ଜାଗୁଅଛି ତୁମ ଭାବନା

ଶାଶୂ ଶ୍ୱଶୁରଙ୍କ ବାରଣ ନ ମାନି

ଡେଇଁ ଆସେ ନିତି ଘର ଅଗଣା


ସ୍ୱାମୀ ଚନ୍ଦ୍ରସେନା କଥା ମୁଁ ଶୁଣେନା

ଦେଉଥାନ୍ତୁ ଅବା ମୋତେ ଯାତନା

ଘନ କୁଞ୍ଜବନ ଡାକେ ଦେଇ ରାଣ

ନ ଆସି ମୁଁ ଜମା ରହି ପାରେନା


ପଶ୍ଚିମ ଆକାଶେ ରବି ଡୁବିଲେଣି

ପକ୍ଷୀଙ୍କର ରାଵ ଆଉ ଶୁଭେନା

ଜଳ ନେଇ ମୋତେ ଫେରିବାକୁ ହେବ

ଛାଡିଦିଅ ତୁମେ କାନି ଟାଣନା


ନିଜକୁ ଦେଖୁଛି ତୁମରି ଅନ୍ତରେ

ଜୀବନ ଅଧୁରା ତୁମରି ବିନା

ଯୁଗ ଯୁଗ ପାଇଁ ପୂଜୁଥିବି କାହ୍ନା

ହୃଦୟରୁ ଢାଳି ପ୍ରୀତି ଅର୍ଚ୍ଚନା


ମୁଁ ସିନା ଶରୀର ତୁମେ ମୋର ପ୍ରାଣ

କରୁଥିବ ସଦା ମୋତେ କରୁଣା

ସବୁ ଜନମରେ ରଖିବ ହୃଦରେ

କରିବନି ତିଳେ ପୀରତି ଉଣା




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract