ଆତ୍ମଗୋପନ
ଆତ୍ମଗୋପନ
ମୁଁ ବଞ୍ଚିଛି, ଅବା;
କରୁଛି କେବଳ ମୃତ୍ୟୁକୁ ପ୍ରତୀକ୍ଷା
ନାହିଁ କିଛି ମୋର ଜୀବନର ମାନେ
ମୋ ମୃତ୍ୟୁ ବି ଦେବ ନାହିଁ ଦୁଃଖ
କାହାର ମନେ ।
ମୃତ୍ୟୁ କୋଳେଇ ନେବା ପୂର୍ବରୁ ହିଁ
ମୁଁ ପାଲଟିଯାଇଛି ଶବ ,
ନିଜକୁ ଦେଖି ଆଜି
ମୁଁ ନିଜେ ଆଜି ସ୍ତବ୍ଧ !
ଅସ୍ତରାଗର ଅରୁଣିମା ପରି
ରକ୍ତବିଭା ହୋଇଉଠିଛି ମୋ ଜୀବନ ।
ଜଣାପଡୁନାହିଁ ,
କାହାର ହୋଇଛି ହତ୍ୟା !
କିଏ ବା ହୋଇଛି ହତ ?
କାହିଁ ଆଖିକୁ ଦେଖାଯାଉନି ତ
ରକ୍ତର ଚିହ୍ନ ,
ନାକ ବି ବାରିପାରୁନାହିଁ ରକ୍ତର ଗନ୍ଧ !
ତଥାପି ;
ସବୁ କିଛି ରକ୍ତିମ ଏଠି,
ମନ ବି ସାଜିଛି ଲାଲ୍ ରଂଗରେ ବିଚିତ୍ରବର୍ଣ୍ଣା!
ଏଠି କ'ଣ ସତ ?
ଆଉ କ'ଣ ବା ପ୍ରହେଳିକା ?
କେଉଁଟି ମୃଗତୃଷ୍ଣା
ଅବା କିଏ ରଚିଛି ଐନ୍ଦ୍ରଜାଲର ମାୟା ?
ମୁଁ ତ ଆହୁରି ଧସେଇ ପଶୁଛି
ଏକ ଅଭେଦ୍ୟ ବ୍ୟୁହ ମଧ୍ୟକୁ
ଅର୍ଜୁନରୁ ଧିରେ ଧିରେ
ପାଲଟୁଛି ବୃହନ୍ନଳା,
ନିଜେ ଦୂରେଇ ଯାଉଛି ନିଜ ଠାରୁ,
ଆଇନାର ପ୍ରତିବିମ୍ବ ବି ,
ମୋତେ ଦେଖି କରୁଛନ୍ତି ଅଟ୍ଟହାସ୍ୟ
ସତେ ଯେପରି ,
ମୁଁ ପାଶୋରି ଦେଇଛି
ନିଜର ସଂପୂର୍ଣ୍ଣ ଅସ୍ତିତ୍ଵକୁ,
ମୁଁ ନିଜେ ରଚିଛି ମୋ ପାଇଁ,
ଏକ ଅନ୍ଧକାରମୟ ସଂସାର ,
ଯେଉଁଠି ଆଲୋକର
ସମ୍ପୂର୍ଣ୍ଣ ଭାବେ ପ୍ରବେଶ ନିଷିଦ୍ଧ ,
ସେହି ଦୁନିଆଁରେ ,
ମୁଁ ନିଜ ସହ ଏକା ଏକା ଖେଳେ ଲୁଚକାଳି
ଭୂଲି ନିଜର ସବୁ ସ୍ବାଭିମାନ
ନିଜ ଭାବନା ଭିତରେ ହିଁ
କାହିଁ କେଉଁଠି ମୁଁ କରିଛି ଆତ୍ମଗୋପନ ।।
