ଆତ୍ମଦାହ
ଆତ୍ମଦାହ
ତୁମେ ଦେଖୁଥିଲ
ମୁଁ ଦେଖୁଥିଲି
ଲୁହ ଯାଉଥିଲା ଝରି
ପଢିନେଲ ବୋଧେ
ମୋ ହୃଦୟ ଭାଷା
ଦୀନବନ୍ଧୁ ଦଇତାରୀ ।
ଆଖିରେ ତୁମର
ନ ଥିଲା ଚମକ
ପଡୁନଥିଲା ପଲକ
ନିଜ ଭୁଲ ପାଇଁ
ହୃଦୟ ତୁମର
କରୁଥିଲା ଅନୁତାପ ।
ପ୍ରୀତିର ପାଉଣା
ମିଛ ପ୍ରତାରଣା
ଜ୍ଞାତ ଥିଲା କୃପାସିନ୍ଧୁ
ସବୁଜାଣି ଶୁଣି
କାହିଁକି ରଚିଲ
ସମ୍ପର୍କର ମହାସିନ୍ଧୁ ।
ସବୁ ଆରମ୍ଭରେ
ସବୁରି ଅନ୍ତ'ରେ
ତୁମେ ମୋର ଶ୍ରେଷ୍ଠ ସାକ୍ଷୀ
ମୁଁହ ମୋଡିଦେଇ
ଚାଲିଗଲ ତୁମେ
ଦେଇ ଯନ୍ତ୍ରଣା ବୈଶାଖୀ ।
ବିଶ୍ୱାସରେ ବିଷ
ଭରିଦେଲ ବନ୍ଧୁ
ବନ୍ଧୁତ୍ୱକୁ ଗଲ ଭୁଲି
ଆପଣାର ଭାବି
ମନ କଥା ମୋର
କହିଦେଲି ମନ ଖୋଲି ।
ଅନୁତାପାନଳେ
ଜଳିଲେ କି ହେବ
ଯନ୍ତ୍ରଣା ଯିବ କି ହରି
ପୋଡା ହୃଦୟରେ
ବସନ୍ତ ସୁଗନ୍ଧ
ଆଉ କି ଆସିବ ଫେରି ।
ଖୁଦାଭଜା ଦେଇ
କିଏ ସାଜେ ସଖା
ହୃଦୟରୁ ଦେଇ ପ୍ରୀତି
ଶାଗ ଭଜା ଖାଇ
ବନ୍ଧୁ କେ ବାନ୍ଧଇ
ଭରି ହୃଦୟରେ ଭକ୍ତି ।
କିଛି ତ ଦେଇନି
କିଛି ବି ନେଇନି
ପାଇବାର ଲୋଭ ନାହିଁ
ଯାହା ଦେଇଥିଲ
ହସ ଲୁହ ପ୍ରେମ
ରଖିଛି ହୃଦେ ସଜାଇ ।
ଯାତନା ଯନ୍ତ୍ରଣା
ମିଥ୍ୟା ପ୍ରତାରଣା
ସବୁ ତ ପାରିଛି ସହି
ତଥାପି ପାରିନି
ଦୁରେଇ ତୁମକୁ
କୋଶ କୋଶ ଦୁରେ ରହି ।
ବନ୍ଧୁ ଦ୍ରୋହୀ ବୋଲି
କହିବିନି କେବେ
ଲୁହ ସବୁ ପିଇଯିବି
ତୁମ ପ୍ରତାରଣା
ମଧୁର ଛଳନା
ହସି ହସି ସହିଯିବି ।
ଅଭିଯୋଗ ନାହିଁ
ଅଭିମାନ ନାହିଁ
କରିବିନି ଦୋଷାରୋପ
ଯନ୍ତ୍ରଣା ଜୁଇରେ
ଆତ୍ମଦାହ ପରେ
ଭୁଲଛି ମୁଁ ପୂଣ୍ୟ ପାପ ।
