ଆତ୍ମାର ବିଳାପ
ଆତ୍ମାର ବିଳାପ
ଜଳେଇଛ କେତେ ଜାତନା ଜୁଈରେ ।
ସ୍ବାର୍ଥେ ହୋଇ ବଶୀଭୂତ।
ଦେଇଛ ଅନେକ ଦୁଃଖ ପରାଭବ
ପିଇଛି ଆଖି ଲୋତକ ।।
ତଥାପି ତୁମକୁ ଆଖିରେ ବସେଇ
ରଖିଥିଲି ପ୍ରିୟତମ ।
ସବୁ ହସ ତକ ତମ ଖୁସି ପାଇଁ
ଭେଟି ଦେଇ ସବୁଦିନ ।।
ତୁମ ବାହୁ ଛାଇ ଖୋଜୁଥିଲି ଯେବେ
ଜାତନାର ନିଦାଘରେ।
ତମେ ଜାଳୁଥିଲ ଅଦେଖା ନିଆଁଟେ
ଏଇ ମୋ'ଶୂନ୍ଯ ପ୍ରାଣରେ ।।
କେତେ ଖୁସୀନେଇ ସଭିଙ୍କୁ ଦୂରେଇ
ତମକୁ ମାନି ଇଶ୍ବର ।
ମହାବେଦୀ ପରେ ହାତ ଧରିଥିଲି
କରିବନି କେବେ ପର ।।
ପବିତ୍ର ପ୍ରଣୟେ ବାନ୍ଧି ରଖିବାକୁ
ଦେଖିଥିଲି କେତେ ସ୍ବପ୍ନ ।
ଇହପରକାଳ ଦେବତା ତମକୁ
ଉତ୍ସର୍ଗୀ ଏଇ ଜୀବନ ।।
ବୁଝାମଣା ତମ ବୁଝି ପାରିଲିନି
ଅବୁଝା ଟିକିଏ ପାଇଁ ।
ମାରିଦେଲ ତମେ ମିଳିମିଶି ସବୁ
ଜାଳିଲ ଯୌତୂକ ଜୁଈ ।।
ହତ୍ଯା ଅପରାଧେ ଯେବେ ଗଲ ତୁମେ
ସଜାରେ ଦୋଷୀଟେ ହୋଇ ।
ଅଶରିରୀ ଆଖି ମନାସୁ ଥିଲା ମୋ'
ଫେରି ଆସିବାର ପାଇଁ ।।
ଅତୃପ୍ତ ରହିଲା ଆତ୍ମା ଏ' ଜନମେ
ଆଗାମୀ ଜନମ ପାଇଁ ।
ଜଳୁଥାଉ ପଛେ ସୁଖ ଦେଉଥିବି
ଜନ୍ମୁଥିବି ତୁମ ପାଇଁ ।।
ସାତ ଜନମକୁ ଶପଥ ନେଇଛି
ତମ ସାଥୀ ହେବାପାଇଁ ।
ତମେ ମୋର କାୟା ମୁଁ ପରା ଛାଇ
ଚାହିଁଥିବି ତାରା ହୋଇ ।।
ବିରହରେ ତମେ ଜଳୁଥିବ ନିତି
ଏଇ ପ୍ରାୟଶ୍ଚିତ ପାଇଁ ।
ତମ ଭୂଲ ପାଇଁ ତମ ଶାସ୍ତି ଏଇ
ମୁଁ ଦେଖୁଛି ତାରା ହୋଇ ।।
ସାବିତ୍ରୀ ହୋଇ ମୁଁ ଅମାବାସ୍ଯା ରାତେ।
ତମ ସାନ୍ନିଧତା ପାଇଁ ।
ଅତୃପ୍ତ ପ୍ରାଣ ମୋ'ଏବେବି ପୂଜୁଛି
ତମ ପୂଣ୍ଯ ପାଦ ଦୁଇ ।।
(...କ୍ରମଶଃ)