ଆଷାଢ଼
ଆଷାଢ଼
ପହିଲି ଆଷାଢ ବରଷା ଛୁଆଁ
ମନରେ ଲଗାଇ ଦେଉଛି ନିଆଁ
ଝିପି ଝିପି ଏଇ ମେଘ ବରଷାରେ
ବେଙ୍ଗୁଲୀ ରାଣୀଟି ମାରୁଛି ଡିଆଁ ।
ସଜନା ଗଛରେ ରାବୁଛି କୁଆ ।
ଆଷାଢ ବରଷା ଧରାକୁ ଛୁଏଁ
ସାରୁବୁଦା ମୂଳେ ବେଙ୍ଗୁଲୀ ଡିଏଁ
ଢଳ ଢଳ ସାରୁ ପତରର ପାଣି
ମୋତି ପରି ସିଏ ଝଟକୁ ଥାଏ ।
କଳା ମେଘ ମନ ମୋହିତ ନିଏ ।
ଆଷାଢ ଆସିଲେ ମନ ହରଷ
ଉତ୍ତାପ କୋପରୁ ଧରା ଉଶ୍ବାସ
ଚଷା ଭାଇ ମନ ହୁଏ ପୁଲକିତ
କ୍ଷେତ ଚଷେ ଧରି ଲଙ୍ଗଳ ଈଶ ।
ଆହାର ଯୋଗାଏ ବରଷ ମାସ ।
ପହିଲି ଆଷାଢ ବହୁଛି ବାଆ
ସ୍ରୋତସ୍ବନୀ ଜଳେ ଭାସୁଛି ନାଆ
ନଦୀ ନାଳ ସବୁ ପୂରି ଉଛୁଳଇ
ଗାଆଁ ଦାଣ୍ଡେ ଭାସେ କାଗଜ ନାଆ ।
ଭାରି ଭଲ ଲାଗେ ମୁଢି ନଡିଆ ।
ତାଳ ଗଛ ପତ୍ରେ ବାଇ ଚଢେଇ
ବରଷା ବତାସେ ସେ ଝୁଲୁ ଥାଇ
ଥମି ଯାଏ ଯେବେ ଟିକିଏ ବରଷା
ଡେଣା ଝାଡି ଟିକେ ଉଡି ଆସଇ ।
ଗୀତ ଗାଉଥାଏ ମନ ଫୁଲେଇ ।
ଆଷାଢ ଆସିଲେ ବରଷା ହୁଏ
ତାସ୍ ଖେଳ ଭଲ ଜମିଣ ଯାଏ
ଗରମ ମୁଢି ବରା ପକୁଡି ମିକ୍ଚର
ଖାଇବାକୁ ଭଲ ପାଗଟି ଦିଏ ।
ଜଲ୍ଦି ଆସ ଯଦି ଖାଇବ କିଏ ?
ଆଷାଢ ମାସରେ ରଥ ଯାତରା
ବଡଦାଣ୍ଡେ ଭକ୍ତ ଭିଡଟି ପରା
ତିନି ରଥେ ତିନି ଦିଅଁ ବସି ଥାନ୍ତି
ଭକତଙ୍କ ଲାଗେ ଟଣା ଓଟରା
ଝିପି ଝିପି ମେଘେ ଭିଜଇ ଧରା ।
ନଅ ଦିନ ପ୍ରଭୁ କରନ୍ତି ଯାତ
ପୋଡ ପିଠା ଖାଇ ଖୁସି ବହୁତ
ଜନମ ବେଦୀରୁ ଶିରିମନ୍ଦିରକୁ
ଫେରନ୍ତି କରି ସେ ବାହୁଡା ଯାତ
ଚାହିଁ ରହିଥାନ୍ତି ଜଗତମାତ ।
ଆଷାଢ ଆକାଶେ ବଉଦ ହସେ
ବଗ ବଗୁଲୀ ଉଡା ସୁନ୍ଦର ଦିଶେ
ବରଷା ରାତିରେ ଖଦ୍ୟୋତିକା ଉଡେ
ଛତୁ ଫୁଟି ମହୀ ମନକୁ ତୋଷେ ।
ବରଷା ଋତୁଟି ଆଷାଢେ ଆସେ ।
