ଆଷାଢ଼ ମାସ ଆସିଲା
ଆଷାଢ଼ ମାସ ଆସିଲା
🙏ଆଷାଢ଼ ମାସ ଆସିଲା🙏
ମଲ୍ଲୀ ଚହଟିଲା କେତକୀ ଫୁଟିଲା
ଫୁଟିଲା କଦମ୍ବ ଫୁଲ
ଆଷାଢ଼ ପ୍ରବେଶିଲା ଅମ୍ବରରୁ ଅମ୍ବ ଝରିଲା
ଆସିଲା ବରଷା କାଳ।
ପହିଲି ବରଷା ପରଶେ ହସିଲେ ତରୁଲତା
ହସି ଉଠିଲା ଧରଣୀରାଣୀ
ପ୍ରଚଣ୍ଡ ରୌଦ୍ରତାପ ହୋଇଲା ଦୂରୀଭୂତ
ଗ୍ରୀଷ୍ମକାଳ ନେଲା ମେଲାଣି।
କଳାହାଣ୍ଡିଆ ମେଘ ଗଗନେ ଘୋଟିଲା
ଗରଜିଲା ଘଡ଼ଘଡ଼ି
ଆଷାଢ଼ ମାସର ଝିପିଝିପି ବରଷାରେ
ନଦୀନାଳ ଗଲା ପୁରି।
କଳା ମେଘମାଳା ଦେଖିଣ ଆକାଶେ
ଖୁସିରେ ନାଚିଲା ପିକ
ବେଙ୍ଗୁଲୀ ରାଣୀ ସାରୁ ବୁଦା ମୂଳେ ଲୁଚି
ଦେଲାଣି କେଁ କଟର ଡାକ।
ତରତର ହୋଇ ଚାଷୀ ଭାଇ ସବୁ
ହଳ ଲଙ୍ଗଳ ଧରି
ନିଜ ନିଜ କ୍ଷେତରେ କଲେଣି ଚାଷକାମ
ମୁଖରେ ସ୍ମିତହାସ୍ୟ ଭରି।
କୁନିକୁନି ପିଲାମାନେ କାଗଜରେ ଡଙ୍ଗା କରି
ବରଷା ପାଣିରେ ଭସାଇଲେଣି
ଡେଙ୍ଗା ନଡିଆ, ଖଜୁରୀ ତାଳଗଛ ବାହୁଙ୍ଗାରେ
ବାୟା ବସା ଦୋହଲିଲାଣି।
ଲଗାଣ ଝଡ଼ି ବରଷାରେ ଗୋରୁଗାଈ ଗୁହାଳରୁ
ଛାଡିଲେଣି ହେମାରଡି
ତାଳ, ନଡିଆ ଗଛରେ ବସା କରି ଡାମରା କାଉ
ରାବିଲାଣି କା' କା' କରି।
ଲାଜକୁଳୀ ସାଧବ ବୋହୁ ଘାସ ଗାଲିଚା ଉପରେ
ଚାଲିଲେଣି ଥିରିଥିରି
ନାଲି ନାଲି ତାର ମଖମଲି କ୍ଷୁଦ୍ର ସୁନ୍ଦର ରୂପ ମାଧୁରୀ
ମନକୁ ନେଉଅଛି ହରି।
ଜାତିଜାତିକା ରଙ୍ଗବେରଙ୍ଗର ଜଙ୍ଗଲୀ ଛତୁ ଉଠିଲାଣି
ମାଟିକୁ ଫଟାଇ ଦେଇ
ଆଦରରେ ସଭିଏଁ ଖାଇବେ ସ୍ବାଦିଷ୍ଟ ଛତୁ ତରକାରୀ
ତା'ର ଗୁଣକୁ ପରଖି ନେଇ।
ଏଇ ଆଷାଢ଼ ମାସର ଶୁକ୍ଲ ପକ୍ଷ ଦ୍ବିତୀୟାରେ
ରଥାରୂଢ ହେଲେ ଶ୍ରୀଜଗନ୍ନାଥ
ରଥରେ ତିନି ଦିଅଁକୁ ଦରଶନ କରି ଭକତ
ଶ୍ରଦ୍ଧା ଭକ୍ତିରେ ଟାଣିବେ ରଥ।
🌧🌧🌧🌧🌧🌧🌧🌧
ନାରାୟଣ ଚନ୍ଦ୍ର ନାୟକ
ଜାମସେଦପୁର
