ଆଶାର ଅତୀତ
ଆଶାର ଅତୀତ
ହେ ଅତୀତ
କାହିଁକି ବାରମ୍ବାର ତୁମେ
ବର୍ତ୍ତମାନ ସହ ଜୀବିତ ହେବାକୁ ଚାହୁଁଛ
ନିଜ ଇଚ୍ଛାରେ ତ ନିଜକୁ ଇତିହାସର ସଜ୍ଞା ଦେଇଛ
ପୁଣି କାହିଁକି ମନତତ୍ତ୍ୱରେ ଉଦାହରଣ ସାଜୁଛ
ହେ ଅତୀତ
କାହିଁକି ବାରମ୍ବାର ତୁମେ
ଜହ୍ନର ଜୋତ୍ସ୍ନାରେ ଚମକି ପଡୁଛ
ଅମାବାସ୍ଯାର ଆଳରେ ତ ନିଜକୁ ଲୁଚେଇ ରଖିଛ
ପୁଣି କାହିଁକି ଦଦରା ନାଆର ମାଝୀ ସାଜୁଛ
ହେ ଅତୀତ
କାହିଁକି ବାରମ୍ବାର ତୁମେ
ଫଗୁଣ ରଙ୍ଗକୁ ଲୁଚି ଦେଖୁଛ
ପ୍ରେମର ରଙ୍ଗକୁ ତ ନିଜ ଲୁହରେ ନିଜେ ଧୋଇଛ
ପୁଣି କାହିଁକି ମିଛ ହସରେ ବାଟ ଚାଲୁଛ
ହେ ଅତୀତ
କାହିଁକି ବାରମ୍ବାର ତୁମେ
ଓଦା ମାଟିର ବାସ୍ନାକୁ ଖୋଜୁଛ
ଶ୍ରାବଣର ମହ୍ଲାରକୁ ତ ନିଜେ ପାଦରେ ଆଡେଇ ଦେଇଛ
ପୁଣି କାହିଁକି ଲୁଚି ଲୁଚି ମେଘରେ ଭିଜୁଛ
ହେ ଅତୀତ
କାହିଁକି ବାରମ୍ବାର ତୁମେ
ନିଶବ୍ଦ ରାତିରେ ସାଥୀ ଖୋଜୁଛ
ଭିଡ ଭିତରୁ କାଢି ନିଜକୁ ତ ଏକାକି ବଞ୍ଚିବାର ସଂକଳ୍ପ ନେଇଛ
ପୁଣି କାହିଁକି ରାତି ଅଧରେ ସ୍ୱପ୍ନ ଦେଖୁଛ ।