ଆଶାର ଅପେକ୍ଷା
ଆଶାର ଅପେକ୍ଷା
କେବେ କେବେ କାହା ସଙ୍ଗେ ,ଏମିତି କିଛି ହୁଏ ,
ଅତୀତରେ ଲୁଚିଥିବା କିଛି ଅଧୁରା କାହାଣୀ ଦେଖା ଦିଏ |
ଜୀବନରେ ମଣିଷ ଦେଖଇ କେତେ ସପନ ,କରିବାକୁ ସତ
କିଛି ପୁରା ହୁଏ ,କିଛି ରହିଯାଏ ହୋଇ ଅତୀତ |
ସମୟର ସଙ୍ଗେ ସଙ୍ଗେ ,ବଢିଚାଲେ ମଣିଷ ବୟସ
କିନ୍ତୁ ,ଆଶାର ଅପେକ୍ଷା ,କେବେ ହୁଏ ନାହିଁ ଶେଷ |
ସେହି ଆଶାକୁ ମନରେ ଭରି ଦେଖେ କେତେ ସପନ
ତାକୁ ବହୁ ସୁନ୍ଦରେ ସଜାଏ ପୁଣି ଚଞ୍ଚଳ ମନ |
ଚଞ୍ଚଳ ମନ ସିଏ ,ଖାଲି ଉଡ଼ିବୁଲେ ଭ୍ରମର ପରି
କେବେ ସିଏ ହସେ ,ପୁଣି ହସାଏ କିରି କିରି |
କେବେ ପୁଣି କେଜାଣି କାହିଁକି ,ରହେ ଅପେକ୍ଷା କରି
ଲାଗେ ସତେ ବସିଛି ସିଏ ,ତାର ଇଛାକୁ ମାରି |
ପଚାରିଲେ କୁହେ ,ବସିଛି ଆଶାର ଅପେକ୍ଷାକୁ ସିଏ ଚାହିଁ ,
ଭରସା ଦେଇଛି ,ନିଶ୍ଚୟ ଆସିବ ସିଏ ମିଶିବା ପାଇଁ |
ଆଶାର ଅପେକ୍ଷା କରି ,ଅଧୁରା ରହିଛି କେତେ କାହାଣୀ ,
ବୁଝେ ନାହିଁ କିନ୍ତୁ ସେଇ ମନ ,ବଡ଼ ଅଭିମାନୀ |
ପିଲାବେଳ ବାଲିଘର ପରି ଲାଗେ ,ସେହି ଆଶାର ଅପେକ୍ଷା ,
ବହୁ ବାର କଥା ଦେଇ ,କରେ ନାହିଁ ତାକୁ ରକ୍ଷା |
ବେଳେ ବେଳେ ଲାଗେ ଆଶାର ଅପେକ୍ଷା ,କୁହୁଡି ପରି ,
ମୋହ ମାୟା ବନ୍ଧନକୁ ,ଦେଖି ସିଏ ଯାଏ ଡରି |
ଦୂରେ ଚାଲିଯାଏ ସେହି ଆଶାର ଅପେକ୍ଷା ପର କରି ,
ଲାଗେ ବଡ଼ ନିର୍ଦ୍ଦୟ ,ଆକାଶର କଳା ବାଦଲ ପରି |
ଯିଏ ଥିଲା ସାଥି ,ଦେଇଥିଲା କଥା ସବୁଦିନ ପାଇଁ ,
ସେହି ଆଶାର ଅପେକ୍ଷା ,ଯାଇଥିଲା ଏହି ହୃଦୟକୁ ଛୁଇଁ |
କିଛି ବାଟ ସାଥିହୋଇ ଚାଲୁ ଚାଲୁ ,ହାତ ଛାଡିଦେଲା ,
ଆଶାର ଅପେକ୍ଷା ମୋର, ଅଧା ହୋଇ ଅଧୁରା ରହିଲା |
ନେଇଗଲା ସିଏ ସାଥିରେ ,ତାର ସବୁ ସପନ ଚୋରାଇ ,
ଆଶାର ଅପେକ୍ଷାକୁ ମୋର ,ଏକ ଅଧୁରା କାହାଣୀ କରିଦେଇ।
ସେଥିପାଇଁ ଆଶାର ଅପେକ୍ଷା ଲୁଚିଥିଲା ଅତୀତର କେଉଁ କୋଣେ
ଏବେ ଖାଲି ସମୟକୁ ଦେଖି ,ବେଳେ ବେଳେ ଉଙ୍କିମାରେ |
ଦେଖି ସେହି ଅଧୁରା ଆଶାର ଅପେକ୍ଷାର କରୁଣ କାହାଣୀ ,
ଭାଙ୍ଗିଯାଏ ଏହି ମନ ,ହୁଏ ସିଏ ବଡ଼ ଅଭିମାନୀ |
ସତେକି କେବେ ପୁରିବ ଏହି ଅଧୁରା ଆଶାର ଅପେକ୍ଷା
ହୃଦୟ କହେ ମନକୁ ,ଦେବାକୁ ବାକି ଅଛି ପରୀକ୍ଷା ।
