ଆଶା-୨୦୨୫
ଆଶା-୨୦୨୫


ଆଶା ନୁହେଁ ବୈତରଣୀ ଅଙ୍କାବଙ୍କା ନଈ
ସୀମାହୀନ ସାଗର ସଲୀଳ
ଅସରା ଆଶାର ବାଲୁକା ରାଶିରେ
ଜୀବନ ର ପୁରି ଥାଏ କାଳ ।
ଆଶା ଥିଲା ଆଶା ଅଛି ଆଶା ରହି ଥିବ
ଆଶା ଅଟେ ଚାଲିବାର ରାହା
ଆଶା ହୋଇଗଲେ ବାସ୍ତବତା ଶୂନ୍ୟ
ଜୀବନରେ ବହିଯାଏ ନିରାଶାର ବାଆ ।
ଆଶା ରେ ଜୀବନ ବଞ୍ଚେ ଆଶା ଶେଷହୀନ
ଆଶା ଦେଇଥାଏ ଧୈର୍ଯ୍ୟ ବାରତା
ଆଶା ହୋଇଗଲେ ଆସକ୍ତି ବିଧୁର
ମିଳେ ଖାଲି ଜୀବନରେ ତିକ୍ତତା ।
ବିଗତ ର ଆଶା ପଢୁଅଛି ଆଜି
ଖୋଜେ ବିଫଳତା କାରଣ ରାଜି
ପଚ଼ିଶି ଆସିଛି ଆଶା ର ମହଲ
ଗଢ଼ି ହେଉଅଛି ପୁନତଃ ଆଜି |
ଆଶା ଖୋଜେ ଆଜି ତିକ୍ତ ରେ ମଧୁର
ସଂପର୍କ ରେ ବୁଝାମଣା ର ଡୋର
ଆଶା ମନ୍ଦିରରେ ସଂସ୍କାର ଦୁଆରେ
ଶଙ୍ଖ ଶବଦ ରେ ପୁରିବ ଘର |
ଆଶାରେ ଦେଖୁଛି ବିଦ୍ୟା ମନ୍ଦିରରେ
ଗୁରୁ ଶିଷ୍ୟ ପରମ୍ପରା ଅନନ୍ୟ
ଅନୁଶାସନ ରେ ପ୍ରେମ ପ୍ରୀତି ରଙ୍ଗେ
ଜ୍ଞାନ ଗଙ୍ଗା ବହେ ହୋଇ ତଲ୍ଲୀନ ।
ଆଶା ଦରପଣେ ପରିବାର ଦେଖେ
ଯେଉଁଠି ବହୁଛି ସଂସ୍କାର ସ୍ରୋତ
ଶିକ୍ଷା ସଂସ୍କାର ର
ଅପୂର୍ବ ମିଳନ
ଧରଣୀ ହେଉଛି ମହିମା ବନ୍ତ ।
ଜୈବ ମଣ୍ଡଳର ସମତା ରକ୍ଷଣ
ସୁସ୍ଥ ସମୀରଣେ ଧରଣୀ ତୃପ୍ତ
ସଂସ୍କୃତି ଗାଉଛି ନବୋଦୟ ମନ୍ତ୍ର
ଆତ୍ମ ଚେତନାରେ ସୁପ୍ତ ଜାଗ୍ରତ ।
ଆଶା ଅନ୍ତରୀକ୍ଷେ ଘୁରି ବୁଲୁଛି ଯେ
ଶାନ୍ତି ର କପୋତ ଉଡ୍ଡାଣ ଧରେ
ଯୁଦ୍ଧ ବିଭୀଷିକା ଅନ୍ତିମ ସମୟ
ଭ୍ରାତୃପ୍ରେମେ ବିଶ୍ଵ ଚାହେଁ ବିଭୋରେ ।
ଅସ୍ତ୍ରବିରତି ର ପୂର୍ଣ୍ଣାହୂତି ଧ୍ବନୀ
ଶାନ୍ତି ବେଦ ଗାନେ ବିଭୋର ହୁଏ
ପରିବେଶେ ଭରେ ଜୀବନର ବାର୍ତ୍ତା
ମଧୁର ପ୍ରୀତିରେ ପରାଣ ମୋହେ ।
ଆଶା ର ନଦୀଟି ଅଙ୍କା ବଙ୍କା ହୋଇ
ଦେଖୁଛି ରାସ୍ତାରେ ନିର୍ଭୟ ସ୍ରୋତ
ରାତି ଅନ୍ଧାରରେ ଅନୁଢ଼ା ଯୁବତୀ
ନିଃସଙ୍କୋଚେ ଚାଲେ ହୁଡ଼େନା ପଥ ।
ଆଶା ଅନ୍ତର୍ମୁଖୀ ପଚିଶି କୁ ଦେଖେ
ଆତ୍ମ ଚେତନାରେ ପ୍ରଣବ ଛନ୍ଦ
କର୍ତ୍ତବ୍ୟ ଆହ୍ବାନେ ବନ୍ଧିତ ଜୀବନ
ସ୍ନେହ ସମୀରଣ ବହୁଛି ମନ୍ଦ ।
ଆଶା ଚାହିଁ ଅଛି ଏ ପଥ ପ୍ରାନ୍ତରେ
ପଚିଶି ପ୍ରଗତି ରଥେ ଆସୁଛି
ସେବା ଦୀପ ଜାଳି ବନ୍ଦାପନା କରି
ସୁକଲ୍ୟାଣ କଥା କହି ଯାଉଛି |