ଆସଗୋ ବରଷା
ଆସଗୋ ବରଷା
ଆସଗୋ ବରଷା କରିଛୁ ଭରଷା
ଆମେ ଯେତେ ପ୍ରାଣୀକୁଳ
ବରଷିବ ବାରି ଆମ ଦୁଃଖ ହାରି
ଜଗତର ଆଦିମୂଳ ।
ଝଞ୍ଜାର ଯାତନା ହରଇ ଚେତନା
ଘର୍ମ ଝର ଯାଏ ବହି
ଶୁଷ୍କ ନଦୀ ନାଳ ଘେନି ଆସେ କାଳ
ପଶୁପକ୍ଷୀ କୁଳ ପାଇଁ ।
ଚାହିଁଛି ଚାତକ କଲାକି ପାତକ
ନୀର ସୁଖ ନାହିଁ ତା'ର
ସୂରୁଜ ଗ୍ରାସରେ ଅନଳ ତ୍ରାସରେ
ମହୀ ହୁଏ ଛାରଖାର ।
ଅଂଶୁମାଳୀ ଘାତ ଦିଅଇ ଆଘାତ
ହରଣ କରେ ପରାଣ
ଦିବସ ବିବଶ ମାନବ ଅବଶ
ମିଳେ ନାହିଁ ଗୁଜୁରାଣ ।
ଫାଟିଛି ବସୁଧା ଦେଇ ଅମ୍ବୁ ସୁଧା
ଜୀବନ ଭରିଲେ ତୁହି
ମାତା ଅନ୍ନପୂର୍ଣ୍ଣା ହୋଇବେ ସମ୍ପୂର୍ଣ୍ଣା
ସର୍ବ ଜୀବେ ଦୟାବହି ।
