ଆସ ଉତ୍କଳ ସନ୍ତାନ ଆସ
ଆସ ଉତ୍କଳ ସନ୍ତାନ ଆସ
ଅଜି ଉତ୍କଳ ଦିବସ, ଆସ ଣୁଣଗ୍ରାହି ଆସ
ଯେତେ ପୁଅ ଝିଅ ଉତ୍କଳ ମାତାର, ମନରୁ ତେଜି ଅଳସ
ଦୈନ୍ୟ,ଯାତନା ଦୁଃଖ ର ତାଡନା ନକରୁ ତୋରେ ବିରସ,
ଆସ ମନରୁ ତେଜି ଅଳସ ।।
ସେରକ ପୁରିଲା,ମାଣକ ପୁରିଲା ଉଠରେ ଉଠରେ ଧନ
ଉତ୍କଳ କପୋତୀ ବାହୁନୀ କାନ୍ଦୁଛି ତା ଛାତିଫଟା କୋହ ଶୁଣ
ଓଡ଼ିଆ ଜାତିର ବୈଭବ ସଂପଦ ଅଛି ଯାହା ଅବଶେଷ
ବଞ୍ଚାଇ ରଖିବା ଆସ, ଆସ ମନରୁ ତେଜି ଅଳସ ।।
ଓଡ଼ିଆ ଗରୀବ ସବୁରି ତ ଶାଳୀ ଥଟା କଉତୁକ “କେତେ-
ସହିବା ଆଉରେ” ଅସହ୍ୟ ହେଲାଣି ପ୍ରତ୍ୟୁତର ଦିଅ ଏବେ
ଦେଖାଅରେ ଆଜି ବଳ,ବପୁ ତୋର ଅଇରୀ କର ବିନାଶ
ନକରରେ ଅବଶୋଷ, ଆସ ମନରୁ ତେଜି ଅଳସ ।।
ଦେଖ ପୁଣି କିଏ ମାଡ଼ି ମାଡ଼ି ଆସେ ଆମ ସୀମାରେଖା ଟପି
ବିଚ୍ଛିନ୍ନାଞ୍ଚଳ ରେ ବ୍ୟବଛେଦ ହୁଏ ଦେଖ ଆମ ଭାଷା ଲିପି
ନଦ,ନଦୀ ଏବେ ଶୁଖିଲା ପଡ଼ିଛି କେତେ ହେବାରେ ବିବସ
ନହୁଅ ଆଉ ବିରସ,ଆସ ମନରୁ ତେଜି ଅଳସ ।।
ସୁପ୍ତ ପରାଣ ଜାଗ୍ରତ ହେଉ ଉଠରେ ଏବେ ଦୁର୍ବଳ
ଜୀବନ ଲଭିଛି ସଂଜିବନୀମନ୍ତ୍ର ବଳରେ ପରା କଂକାଳ
କୃଷକ, ସୈନିକ,କବି,କଳାକାର ଉତ୍କଳ ଉତ୍କର୍ଷ ରଖ
ରଖରେ ମାଟିର ଟେକ, ଆସ ମନରୁ ତେଜି ଅଳସ ।।
