ଆସ ଶୀତ ଆସ
ଆସ ଶୀତ ଆସ
କେତେ ସଜବାଜ ହେବ ତୁମେ ଆଉ
ଆସିବତ ଆସ କତିକୁ
କଥା ଦେଇଥିଲ ସଞ୍ଜରେ ଆସିବ
ଆସୁଛ ଏଇନା ରାତିକୁ
ଭାବିଲି ମନେ ମୁଁ କାଳେ ଭୁଲିଗଲ
ଏଇ ହତଭାଗା ସାଥୀକୁ
ଅବା ବଦଳାଇ ଚାଲିଗଲ କେଣେ
ଲିଭାଇ ଦେହର ତାତିକୁ
କେମିତି ଆକଟ କରିବି କୁହତ
ହିଆର କମ୍ପନ ଗତିକୁ
ଜଳାଇ ଏଯାଏଁ ରଖିଛି ପରା ମୁଁ
ଲିଭି ଆସୁଥିବା ବତୀକୁ
ଥୟ ଜମା ଆଉ କରି ମୁଁ ପାରୁନି
ଅନୁମତି ଦିଅ ରତିକୁ
ଚାଦର ତଳର ଉଷ୍ଣତା ସତେ କି
ଘୁରାଇ ଦିଏ ମୋ ମତିକୁ
ଜାଣିଛି ମୁଁ ତୁମେ ବାରଙ୍ଗନା ଶୀତ
ଦେଖାଇ ହୁଅନା ସତୀକୁ
ଛାଡି ଆସ ତୁମେ ସମାଜର ଯେତେ
ନିନ୍ଦା ଅପନିନ୍ଦା ଭିତୀକୁ
ପିଲା ଠାରୁ ବୁଢା ଭେଣ୍ଡା ଭୁଆଷୁଣୀ
ମାନି ନାହଁ କେବେ ଜାତିକୁ
ନିଅ ତ ଜଡେଇ ବୁଢା ବୁଢୀ ସାଙ୍ଗେ
ନିଅ ହାତ ଧରି ନାତିକୁ