ଆସ ମୋ କତିକୁ ପାଖରେ ବସ
ଆସ ମୋ କତିକୁ ପାଖରେ ବସ
ଆସ ମୋ କତିକି ପାଖରେ ବସ
ଅଳପ ଚାହିଁକି ମୁରୁକି ହସ
ଅନେକ ଯାତନା କ୍ଷଣକେ ଦଳି
ସୁଖର ସାନ୍ତ୍ବନା ଉଠିବ ଝଳି
ଆସ ମୋ କତିକି ପାଖରେ ବସ
ମୁହଁରେ ପଢ଼ିବା ଜୀବନ ବେଦ
ରହିବ ନାହିଁଟି ଅଭାବ ଖେଦ
କାହାଣୀ ଗଢ଼ିବା ଅନେକ ଆଶା
ନାୟକ ନାୟିକା ହୋଇବା ଭାଷା
ଆସ ମୋ କତିକି ପାଖରେ ବସ
ଭାବନା ନଥିବ ନାଟକ ରଙ୍ଗ
ଆପଣା ଭିତରେ ବଢ଼ିଆ ସାଙ୍ଗ
ଲୁହରେ ଲୁହକୁ ହୋଇବା ଓଦା
ସ୍ନେହରେ ସ୍ନେହକୁ ବୁଝିବା ନିଦା
ଆସ ମୋ କତିକି ପାଖରେ ବସ
ଅନ୍ତରେ ଅନ୍ତର ହେବାନି କେହି
କେବଳ ଆନନ୍ଦ ଦେଖିବା ମହୀ
ଆବିଳ ପାଖକୁ ଯିବାନି ଜମା
ପୁଣ୍ୟର ଘରକୁ ଶରଧା ସୀମା
ଆସ ମୋ କତିକି ପାଖରେ ବସ
ମନର ଦର୍ପଣେ ଆନକୁ ଦେଖି
ନିରତ ନୀରବେ ହୋଇବା ସୁଖୀ
ବ୍ୟଥାରେ ନଥିବ ଅଲଣା ରାଗ
କଥାର ମଣିଷ ସହଜ ବାଗ
ଆସ ମୋ କତିକି ପାଖରେ ବସ
ସ୍ବଭାବ ଗୁଣରେ ହୋଇବା ଭଲ
ଦୁନିଆ ଆଗରେ ମହକ ଫୁଲ
ଯିଏ ବି ଦେଖିବେ ଚକିତ ହେବେ
ମଙ୍ଗଳ ଆଶିଷ ଅଜାଡ଼ିଦେବେ
ଆସ ମୋ କତିକି ପାଖରେ ବସ