ଆସ ଗୋ ଶ୍ରାବଣୀ
ଆସ ଗୋ ଶ୍ରାବଣୀ
ଜଳୁଛି ଜୀବନେ ସନ୍ତାପ ଉତ୍ତାପ
ଶ୍ରାବଣୀ ଅଭିମାନିନୀ
ବାଉଳି ଭ୍ରମରେ ହୁଏ ବାଟବଣା
ଠିକଣା ପାରୁନି ଚିହ୍ନି ।
ଲାଗୁଛି ବେସୁରା ଜୀବନ ସଙ୍ଗୀତ
ରାଗିଣୀ ମେଘ ମହ୍ଲାର
ଅନୁରାଗ ରାଗେ ଉଭାନ ସରାଗ
କ୍ଷୀଣ ପ୍ରୀତିମଧୁ ସ୍ବର ।
ଚମକୁନି ଘନେ ବିଜୁଳି ଝଲକ
ବରଷୁନି ଛମ ଛମ
ବିରହ ବିଧୁର ପାଗଳ ବାଦଲ
ଚାତକ ଆଶା ମର୍ମର ।
ବନ ସବୁଜିମା ଦିଶଇ ଶ୍ରୀହୀନ
ବିଷର୍ଣ୍ଣ ମନ ମୟୂର
ଆସ ଗୋ ଶ୍ରାବଣୀ ନ କର ଉଛୁର
ପରାଣ ପ୍ରଣୟାତୁର ।
ଆସ ଚାରୁଲତା କୃତାଞ୍ଜଳି ହସ୍ତେ
ଝଟକୁ ମେହେନ୍ଦୀ ଛଟା
ଭରି ଉଠୁ ମନେ ନୀଳ ସମ୍ମୋହନ
ନାନ୍ଦନୀକ ଶୀତଳତା ।

