ଆର୍ଯ୍ୟବଧୂ
ଆର୍ଯ୍ୟବଧୂ
ଅବଗୁଣ୍ଠନର ତଳେ ଝରି ପଡ଼େ
ଅଧରରୁ ହସ ମଧୁ
ଶାନ୍ତି ପ୍ରୀତି କ୍ଷମା ପ୍ରମୂର୍ତ୍ତ ପ୍ରତିମା
ନାମ ମୋର ଆର୍ଯ୍ୟବଧୂ ।୧।
ତ୍ୟାଗ ତିତୀକ୍ଷାର ଉଜ୍ଜ୍ବଳ ସ୍ୱାକ୍ଷର
ମମତାର ମହୋଦଧି
କେଜାଣି କି ଧାତୁ ଯୋଗେ ବିହିଛନ୍ତି
ମୋର କପାଳକୁ ବିଧି ।୨।
ଯାତନା ଜୁଇରେ ଆତ୍ମାହୁତି ଦେଇ
ଅପରେ ବିତରେ ସୁଖ
ଲୋତକ ଲୁଚାଇ ଦେଖାଇବା ପାଇଁ
ପଡ଼େ ମୋତେ ଦଗ୍ଧ ମୁଖ ।୩।
ସୀତା ରୂପେ କେତେ କଷଣ ସହିଛି
ପାଷାଣ ତରଳି ଯିବ
ପାଞ୍ଚାଳୀ ମୁଁ ପଞ୍ଚ ପତିର ନାୟିକା
ପ୍ରେତିନୀର ପ୍ରତିବିମ୍ବ ।୪।
ଅଶ୍ୱପତି କନ୍ୟା ରୂପେ ହେଲି ଧନ୍ୟା
ବାହୁଡ଼ାଇ ପତି ପ୍ରାଣ
କାଳ କାଳ ଧରି ବହି ଚାଲିଛି ମୁଁ
ଅଶୁଭ ଭାଗ୍ୟର ଭ୍ରୁଣ ।୫।
