ଅଶ୍ରୁକ୍ଷରା ଯଶୋଧାରା
ଅଶ୍ରୁକ୍ଷରା ଯଶୋଧାରା
ମୋର ପରିଚୟ କଣ
ସିଦ୍ଧାର୍ଥଙ୍କ ସହଧର୍ମିଣୀ
ନା କପିଳବାସ୍ତୁର ଯୁବରାଣୀ
ମୁଁ ଏକ ଅନାମିକା
ଅଶ୍ରୁମୁଖୀ ବିମର୍ଷ ନାୟିକା
ବାସର ଶଯ୍ୟା ପାଇଁ ସଜ୍ଜିତା
ଲଜ୍ଜିତା ତରୁଣୀ।
ଏମିତି କେଉଁ ଜ୍ଞାନର ସନ୍ଧାନରେ
ଜନ୍ମ ଜନ୍ମାନ୍ତର ବନ୍ଧନକୁ ଏଡି
ଚାଲିଗଲ ପ୍ରବଜ୍ୟାର ପଥେ,
ବାଟ ଓଗାଳି ପାରିଲାନି ତୁମ
ଇନ୍ଦ୍ରପୁର ନିନ୍ଦୀ ହିରଣ୍ମୟପୁର
ପରିଣିତା ରୂପସୀ ପ୍ରମଦା
ଚାଲିଗଲ ସବୁକିଛି ପଛ କରି
କନ୍ଥକର ରଥେ।
କାମନାର ବିନାଶରେ ଦୁଃଖର ବିନାଶ
ତୁମର ତଥାକଥିତ ବାଣୀ
କେଉଁ କାମନାର ଥିଲି ମୁଁ ସାଧିକା
ତୁଚ୍ଛ ଦେହର ଦେହଳିକୁ ଲଙ୍ଘି
ଭୂମିରୁ ଭୂମାକୁ ଚୁମିବାକୁ ଚାହୁଁଥିଲି
ମୁଁ ତ ଥିଲି ତୁମର ପ୍ରେମର
ସାଧ୍ୱୀ ଆରାଧିକା।
ଆଉ ଏବେ ଅଭିପ୍ରାୟ କଣ
ଇତିହାସର କୁହେଳି ଆଛନ୍ନ
ମୁଁ ଏକ ସକରୁଣ କିମ୍ୱଦନ୍ତୀ
ତୁମର ସ୍ମୃତି ଚାରଣ ବେଳେ
ଉଚ୍ଚାରିତ ହୁଏ ମୋର ନାମ
ସେତିକି ହିଁ ମୋ ନିମିତ୍ତ ସ୍ୱର୍ଗୀୟ ପ୍ରଶାନ୍ତି।
