ରଘୁନାଥ ବେଶ
ରଘୁନାଥ ବେଶ
ଦେବ ଜଗନ୍ନାଥ ସ୍ଵୟଂ ରଘୁନାଥ
ବଳଦେବ ର|ମାନୁଜ
ସାକେତ ପତ୍ତନ ରତ୍ନ ସିଂହାସନ
ରାମ ଦରବାର ସାଜ।୧।
ଯେ ବର୍ଷ ବୈଶାଖ ମାସେ ଅଭିଷେକ
ପଡ଼େ ହୁଏ ଏହି ବେଶ
ସାକେତ ନରେଶ ଶୃଙ୍ଗାରେ ସଜ୍ଜିତ
ଲୀଳାମୟ ନୀଳାଦ୍ରୀଶ।୨।
ବାମ ପାର୍ଶ୍ଵେ ଉଭା ଭରତ ଶତ୍ରୁଘ୍ନ
ଚାମର ଛତ୍ରୀ ଧାରକ
ସୌମିତ୍ରୀ ଦକ୍ଷିଣେ ବ୍ରହ୍ମା ବଶିଷ୍ଠାଦି
ରାମ ନାମ ଉଚ୍ଚ|ରକ ।୩।
ବୈଦେହୀଶ ଜାନୁ ପରେ ଗୌର ତନୁ
ସୀତା ସ୍ୱରୂପୀଣି ରମା
ଅବନୀ ଦୁହିତା ସଦା ପତିବ୍ରତା
ଅପରୂପା ଅନୁପମା।୪।
ସମ୍ମୁଖେ ମାରୁତି ସ୍ତବ ଗାନେ ବ୍ରତୀ
ପ୍ରଭୁ ପ୍ରେମରେ ବିଭୋର
ବେନି ପାର୍ଶ୍ଵେ ଯୁକ୍ତ କରେ ବିଦ୍ୟମାନ
ବାନର ବଂଶଜ ବୀର।୫।
ଧନୁର୍ବାଣ ଧର ରଘୁବଂଶୀ ବୀର
ସୁଭଦ୍ରିକା ଯୋଗମାୟା
ଶ୍ରୀରାମ ସୋଦରା ଋଷ୍ୟଶୃଙ୍ଗ ଦାରା
ଅଯୋଧ୍ୟା ରାଜ ତନୟା ।୬।
ରତ୍ନ ଆଭରଣ ଶ୍ରୀଅଙ୍ଗେ ଧାରଣ
ଅପୂର୍ବ ବପୁ ଲାବଣ୍ୟ
ରାମ ଅଭିଷେକ ଦର୍ଶନେ ଉତ୍ସୁକ,
ପ୍ରଲୋଭିତ ପ୍ରତି ପ୍ରାଣ।୭।
ଉତ୍କଳ ନରେନ୍ଦ୍ର ଆଦ୍ୟ ରାମଚନ୍ଦ୍ର
ଅଭିଷେକ ଅବକାଶେ
କରିଥିଲେ ଏହି ବେଶ ଆୟୋଜନ
ନୀଳ ଶଇଳ ଉଆସେ ।୮।
ଦ୍ଵିତୀ ଇନ୍ଦ୍ରଦ୍ୟୁମ୍ନ ଅଭିଧା ସଂଲଗ୍ନ
ହେଲେ
ହେଲେ ରାଜ ଚକ୍ରବର୍ତ୍ତୀ
ଦ୍ୱିଜଙ୍କୁ ଶାସନ ଗ୍ରାମ କରି ଦାନ
ଅର୍ଜିଲେ ଅଜେୟ କୀର୍ତ୍ତି।୯।
ଏକ ଶତାବ୍ଦୀରୁ ହେଲାଣି ଅଧିକ
ମାତ୍ର ରଘୁନାଥ ବେଶ
ଅନୁଷ୍ଠିତ ହୋଇ ନାହିଁ ଶ୍ରୀମନ୍ଦିରେ
ଭକ୍ତ ମନେ ଅବଶୋଶ।୧୦।
