ବୃକ୍ଷ ରୋପଣ
ବୃକ୍ଷ ରୋପଣ
ତରୁ ଲତା ତୃଣ ନିଖିଳର ପ୍ରାଣ
ସତ୍ତା ରୂପେ ବିଦ୍ୟମାନ
ତରୁ ଅକାତରେ ଦିଏ ଜଗତରେ
ଆୟୁ ରୂପୀ ଅମ୍ଳଜାନ ।
ସୁଶୀତଳ ଛାୟା ଅବସନ୍ନ କାୟା
ଚନ୍ଦନ ପ୍ରଲେପ ପରି
ପାଦପ ମୂଳରେ କ୍ଳାନ୍ତ ପଦାତିକ
ବିଷର୍ଣ୍ଣତା ନିଏ ହରି ।
ସ୍ୱାଦିଷ୍ଟ ଫଳର ସ୍ଵାଦିଷ୍ଟ ଆହାର
ଲୋକ ମୁଖ ରୁଚିକର
ବିଜ୍ଞ ବନସ୍ପତି ଦାନେ ସଦା ବ୍ରତୀ
କରେ ଲୋକ ଉପକାର ।
ବୃକ୍ଷ ଅବଦାନ ପ୍ରତି ପ୍ରତିଦାନ
ଦିଏ ଏହି ମୂଢ଼ ନର
ନିଦାରୁଣ ମନେ ଧରାଶାୟୀ କରେ
ମହୀରୁହ କଳେବର ।
ସେଥିପାଇଁ ଏତେ ଘଟିତ ଜଗତେ
ବନ୍ୟା ବାତ୍ୟା ବିପର୍ଯ୍ୟୟ
ପାଦପ ରୋପଣ ନ କଲେ ଘଟିବ
ମାନବ କୁଳ ବିଲୟ ।
ଶ୍ୱାସ ନେବା ପାଇଁ ଶ୍ୱସନ ଅଭାବ
ହେବ ଏହା ପରିଣାମ
ନୀରବେ ମାନବ ସବୁ ମାନିନେବ
ଭାବି ନିଜ କୃତ କର୍ମ ।
ହେ ଅଦୂରଦର୍ଶୀ ନ ହୁଅ ଉଦାସୀ
କଲ୍ୟାଣୀ ପ୍ରକୃତି ପ୍ରତି
କୃପଣ ନ ହୋଇ ଅନୁକ୍ଷଣ ହୁଅ
ବୃକ୍ଷ ରୋପଣରେ ବ୍ରତୀ ।
