ଆରାଧନା ଏକ ଅବୈଜ୍ଞାନିକ ଈଶ୍ୱରଙ୍କୁ
ଆରାଧନା ଏକ ଅବୈଜ୍ଞାନିକ ଈଶ୍ୱରଙ୍କୁ


ଗର୍ଭଗୃହର ଛାତର ସିଲିଂରୁ ଝୁଲିଥିବା ରଙ୍ଗୀନ ନିଷ୍ପ୍ରଭ ଆଲୋକ ତଳେ ଈଶ୍ୱର !
- ଲାଗେ ଯେପରି ରହସ୍ୟମୟ ଦୁନିଆ ଦରବାରର ଡାଏସ୍ ଉପରେ,
ଚମତ୍କାର ମୁଖା ପିନ୍ଧା ଚେହେରାଟିଏ ଦର୍ଶକ ଓ ବିଚାରପତି ସାଜି ବସି ରହିଛନ୍ତି ।
ସେ ଯେପରି ଚାହିଁ ରହିଛନ୍ତି, ହାତ ଯୋଡି ତଳେ ଛିଡା ହୋଇଥିବା,
ଅସଂଖ୍ୟ ଚରିତ୍ର ମାନଙ୍କର ଅଜ୍ଞାତ ସୀମାହୀନ ଅପୂରଣୀୟ ଆଶା ମାନଙ୍କୁ ।
ଚିରସ୍ଥାୟୀ ଅନନ୍ତ ଶାଶ୍ୱତାରୁ ସେମାନେ କିଛି ବର୍ତ୍ତମାନକୁ ଖୋଜିଲା ବେଳେ
ସମୟର ଧାରାରେ ମୁହୂର୍ତ୍ତ ମାନେ ମଧ୍ୟ ଅଟକି ରହି ଯାଇଥାନ୍ତି ।
ଘଣ୍ଟି ଘଂଟାର ଆରତୀ ଦୀପର ଛାୟାରେ ଦେବତା ମାନଙ୍କର ଜନ୍ମ ହୁଏ ।
ଅଶରିରୀ ର ଶରୀର ସୃଷ୍ଟି ହେବାର ସଙ୍କେତ ମିଳେ ।
ଭୃ ଯୁଗଳ ମଧ୍ୟରେ ଈଶ୍ୱରଙ୍କ ଆତ୍ମା ଦୃଶ୍ୟ ହୁଏ ସାକ୍ଷାତ ପରମାତ୍ମା ରୂପରେ ।
ଅଜ୍ଞାତରୁ ଜ୍ଞାତ ର ରୂପ ଆସେ ।
ଲାଗେ, ଆଖି ଯେପରି କିଛି ସମୟ ପାଇଁ ଅସହ୍ୟ ସ୍ୱପ୍ନ ଦେଖୁଛି ।
କିନ୍ତୁ ଡାଏସ୍ ଉପରେ ବସିଥିବା ଈଶ୍ୱର ;
ଅପଲକ ଦୃଷ୍ଟିରେ ଅନନ୍ତକାଳ ପର୍ଯ୍ୟନ୍ତ ସେମିତି ଚାହିଁ ରହିଥାନ୍ତି !
ପଥର ମୂର୍ତ୍ତି ଭିତରେ ଜୀବନ ଏକ ଅବୈଜ୍ଞାନିକ ଚିନ୍ତାଧାରା !
କିନ୍ତୁ, ତାହା ତ ପଛରେ ଛାଡି ଆସିଥିବା ଅବଚେତନର ଏକ କ୍ଷୁଦ୍ର ଅଂଶ ।
କାରଣ, ବିଶ୍ୱାସର ଛୋଟ ଛୋଟ ପୃଷ୍ଠାକୁ ଲେଉଟାଇବା ବେଳେ ;
ବିଶାଳତାର ଅଦୃଶ୍ୟ ପୃଷ୍ଠାଟି ସାମନାକୁ ଆସିଯାଏ ।
ସିଏ, ନିଜକୁ ଈଶ୍ୱର ସମ୍ମୁଖରେ ନଗ୍ନ ରୂପରେ ଛିଡା ହୋଇଥିବାର ଦେଖିପାରେ,
ଅନ୍ଧକାରର ଭିଡ଼ ଭିତରେ, ଏକ ଆଲୋକର ସ୍ୱଚ୍ଛତା ମଧ୍ୟରେ ନିଜକୁ ଆବିଷ୍କାର କରେ ।
ନିଜ ସୃଷ୍ଟିର ଏକ ବିଶାଳ କ୍ରମ ବିବର୍ତ୍ତନର ଚିତ୍ର ଆବିଷ୍କାର ହୁଏ ।
ଯେଉଁଠାରେ ଭୌତିକ ଜୀବନର ଆଶା ମାନେ ଫ୍ରିଜ୍ ହୋଇ ଲଟକି ରହି ଯାଆନ୍ତି ।
ଏକ ପଥର ମୂର୍ତ୍ତିର ଆବରଣ ତଳେ ଲୁଚି ରହି ଥିବା
ପ୍ରତ୍ୟକ୍ଷ ବ୍ରହ୍ମାଣ୍ଡର ରହସ୍ୟ ;
କର୍ପୁର ଆରତୀର ଅତିଚେତନାର ଆଲୋକରେ ବିଲୀନ ହୋଇଯାଏ ।
ଅର୍ଦ୍ଧନିମ୍ନଲିତ ଚକ୍ଷୁ ଏବଂ ଯୋଡ଼ା ହାତ ପାପୁଲି ମଧ୍ୟରେ, ଦୀପର ଜ୍ୟୋତିରୁ:
ଈଶ୍ୱରଙ୍କ ସଂକେତର ଅକ୍ଷରଗୁଡିକ ପରିଷ୍କାର ଭାବରେ ଲେଖି ହୋଇଯାଏ ।
ଅନ୍ତରର ମନର କାନ୍ଥରେ ଟାଙ୍ଗି ହୋଇଯାଏ ;
ଦ୍ଵନ୍ଦକୁ ଅତିକ୍ରମ କରୁଥିବା ସୂକ୍ଷ୍ମ ଚିହ୍ନଗୁଡିକର ଏକ ମାନଚିତ୍ର ।
ଦୁନିଆରେ ବଞ୍ଚି ରହିବା ପାଇଁ,
ନିଜର କଂକ୍ରିଟ୍ ଆଶା ଗୁଡିକର ପ୍ରତିଛବିଗୁଡ଼ିକ ଆଲୋକିତ ହୋଇଉଠେ ।
ସେଇ ମହତ୍ୱପୂର୍ଣ୍ଣ ପ୍ରତୀକ ଈଶ୍ୱରଙ୍କ ମୂର୍ତ୍ତି ତଳେ ;
ସହଜ ଆଶ୍ୱାସନାଟିଏ ମିଳିଯାଏ,
ସେହି ଶାଶ୍ୱତଙ୍କ ରହସ୍ୟମୟ ଅଭୟ ହସ୍ତର ପ୍ରତିବିମ୍ବରୁ ।
କିନ୍ତୁ, ଆରୋହଣ ଓ ଅବରୋହଣ ଜୀବନର ଧ୍ରୁବକୁ ଯୋଡି ରଖିଥାଏ ;
ଈଶ୍ୱରଙ୍କ ଶ୍ରେଣୀବଦ୍ଧ କାନୁନର ଶୃଙ୍ଖଳାବଦ୍ଧ ରାଜ୍ୟ ।
ସିଂହାସନ ତଳେ ଛିଡା ଥିବା ଚରିତ୍ରଟି,
କେବଳ ଶାଶ୍ୱତଙ୍କୁ ଜାବୁଡି ଧରି ସମୟ ମଧ୍ୟରେ ଉବୁଟୁବୁ ହୁଏ ।
ତା’ ବହୁମୁଖୀ ଅଶାର ଆସନ୍ନ ପୂର୍ଣ୍ଣତାର ପ୍ରସନ୍ନତାରେ !
ଏବଂ ଏକ ରୋମାଞ୍ଚ ଭରା ଜୀବନକୁ ସାଙ୍ଗରେ ଧରି,
ଭୌତିକ ବସ୍ତୁର ନଶ୍ୱର ଆକୃତି ଏବଂ ରଙ୍ଗର ସୌନ୍ଦର୍ଯ୍ୟରୁ ;
ଭରପୁର ଆନନ୍ଦ ଗୋଟାଇବାକୁ ଚେଷ୍ଟା କରେ ।
ଆଉ ଯେତେବେଳେ ଅନ୍ ଲିମିଟେଡ଼୍ ପ୍ୟାକ୍ ମନେ ହେଉଥିବା,
ଅଦୃଶ୍ୟ ସମୟରୁ ଡାଟା ସରିଆସେ ;
ଆତ୍ମାକୁ ବହନ କରୁଥିବା ଶରୀରର ସୁବର୍ଣ୍ଣ ଶିଡ଼ିରେ,
ହୀରା ର ସୂତାଟିଏ ବାନ୍ଧିବା ପାଇଁ ଚରିତ୍ର ମାନେ ବ୍ୟାକୁଳ ହୋଇ ଉଠନ୍ତି ।
ଏବଂ ସେତେବେଳେ ହୁଏତ ସେମାନେ କହିପାରନ୍ତି - ଈଶ୍ୱର ଅବୈଜ୍ଞାନିକ ନୁହନ୍ତି।