ଆପଣା ହସ୍ତେ ଜିହ୍ୱା ଛେଦି
ଆପଣା ହସ୍ତେ ଜିହ୍ୱା ଛେଦି
ନିଦାରୁଣ ଏଇ ଗ୍ରୀଷ୍ମର ପ୍ରକୋପ
ସହିବାଟା କଷ୍ଟ କର
ଋତୁ ଚକ୍ରେ ପଡ଼ି ନିରୁପାୟ ହୋଇ
ମାନବ ଯୋଡଇ କର ।
ଆମରି ଉତ୍ପାତ ଅସହ୍ୟ ହୋଇଛି
ଆଜି ଏ ଧରଣୀପରେ
ସବୁଜ ବନାନୀ କଳ ବଳେ ନାଶି
ଗ୍ରୀଷ୍ମକୁ ଡାକିଲା ଘରେ ।
ଚଉଦିଗେ ଦିଶେ କଂକ୍ରିଟ ନିଳୟ
ତାପ ନିୟନ୍ତ୍ରଣ ଯନ୍ତ୍ର
ଆପଣ ସୁବିଧା ସୁଯୋଗକୁ ବୁଝି
ମନୁଷ୍ୟ କରେ ପ୍ରଯତ୍ନ ।
ଗ୍ରୀଷ୍ମ ପ୍ରବାହର ବାଧା ପ୍ରାପ୍ତ ପାଇଁ
ନାହିଁ ଯେ କାନନ ବୃକ୍ଷ
ଏମନ୍ତ ମୁହୂର୍ତ୍ତେ ଅରି ରୂପ ଧରି
ସମୀର ପାଲଟେ ଜଖ ।
ସଙ୍ଗେ ନୃତ୍ୟ କରେ ଅଂଶୁଘାତ ବ୍ୟାଧି
ଆକ୍ରାନ୍ତ ଦୁର୍ବଳ ଦେହ
ନମାନେ ଗରିବ କି ଅବା ଅମିର
ଏହି ତ ଗ୍ରୀଷ୍ମର ସୁଅ ।
ଜଗତ ପାଇଁକି ଉଦାସୀନ ଭାବ
ନେଇ ଯାଏ ଧ୍ୱଂସ ଦିଗେ
ଆତ୍ମ ବଡିମାରେ ମନୁଷ୍ୟ ବସିଛି
କାହା ପାଇଁ ଅନୁରାଗେ ।
ଯେତେ ଦିନ ଯାଏ ନ ରୋପିବ ଚାରା
ଚାଲିବ ତାଣ୍ଡବ ନୃତ୍ୟ
କାଳର ଆୟତେ ପେଷି ହୋଇ ଯିବା
ବିତ୍ତ ଥାଇ ହେବା ଭୃତ୍ୟ ।