STORYMIRROR

Sarmistha Palai

Romance

4  

Sarmistha Palai

Romance

ଆନନ୍ଦର ଭେଟି ଦେଲା

ଆନନ୍ଦର ଭେଟି ଦେଲା

1 min
406


ହୃଦୟ ଖାତାର ପ୍ରତ୍ୟେକ ଫର୍ଦ୍ଦରେ

  ଲେଖୁଛି ତୁମରି ନାମ

ପ୍ରୀତି ପିୟୁଷର ଅଦେଖା ଛିଟାରେ

  ହଜିଛି ମୋର ଏ' ମନ।


ଅଦେଖା ରାଇଜ ଦୂର ଦିଗନ୍ତର

  ମୁଁ' ତୁମର ନୀଳ କଇଁ

ମନ ମୋ' ଉଲ୍ଲସୀ ପାଖୁଡା ମେଲାଏ

  ସଞ୍ଜ ଯେବେ ଆସେ ନଇଁ।


ପର୍ବତ ଶିଖରେ ତୁମକୁ ମୁଁ' ଖୋଜେ

  ଖୋଜେ ଶିଶିର ବିନ୍ଦୁରେ

ନିର୍ଜନ ରାତ୍ରିର ଅନ୍ଧାର ଭିତରେ

   ତୁମକୁ ଦେଖେ ଇନ୍ଦୁରେ।


କାନ୍ଭାସ୍ ଛାତିରେ ହାତେ ତୁଳୀ ଧରି

  ଆଙ୍କି ଦିଏ ତୁମ ଛବି

ସରମି ଲତା ମୁଁ' ସରମି ଯାଏ ଟି'

   ସେଠି ତୁମ କଥା ଭାବି।


ଆଶା ଫୁଲ ପ୍ରସ୍ଫୁଟିତ ହୋଇ କ୍ଷଣ

  ପ୍ରୀତିର ପସରା ଖୋଜେ

ଅନ୍ତର ଦହନ ବିଚଳିତ କରେ

  ନେତ୍ର କୋଣ ଲୁହେ ଭିଜେ।


ଭାବନାରେ ମୋର ସେ' ଲୁହ ସାଗର

  ମୁହିଁ ତାର ଉର୍ମିମାଳା

ଯେତେ ଯେତେ ସିଏ ଉନ୍ମାଦିତ ହୁଏ

  ମୁଁ' ହୁଏ ତା' ଗଳା ମାଳା।


ମୁହୁର୍ତ୍ତ ମୁହୁର୍ତ୍ତ ସତେ କି' ଜୀବନ୍ତ

  ଲୋମ ଲୋମ ଯାଏ ଛୁଇଁ

ଚେଇଁ ଥାଇ କି' ବି' ସପନ ରାଇଜେ

  କିଛି କ୍ଷଣ ଯାଏ ଧାଇଁ।


ଲିଭି ଲିଭି ଗଲା ଅନ୍ଧାର କାଳୀମା

  ଉଇଁ ଆସେ ରକ୍ତ ରଙ୍ଗ

କାକଳୀ ଗୁଞ୍ଜନ କର୍ଣ୍ଣପାତ ହୋଇ

  ହେଲା ମୋ' ସପନ ଭଙ୍ଗ।


ଚମକି ପଡିଲି ତଳକୁ ଚାହିଁଲି

   କୋଳରେ ଧରିଛି ଖାତା

ଏହା ମୋର କଣ ସବୁ ସ୍ୱପ୍ନ ଥିଲା

   ଲେଖୁଥିଲି ମୁଁ' କବିତା।


ଟିକେ ମୁଁ' ହସିଲି ନିରବି ବସିଲି

  ଭାବିଲି କଣ' ହୋଇଲା

ଯାହାବି ସେ' ହେଉ ଏକାନ୍ତ ନିଶିରେ

  ଆନନ୍ଦର ଭେଟି ଦେଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance