ଆମକୁ ଶିଖାଏ ଆମରି କଥା
ଆମକୁ ଶିଖାଏ ଆମରି କଥା
କା କା କରି ଡାକିଲା କାଉ
କୋଇଲି ଗାଇଲା ଗୀତ
କୁକୁଡୁ କୁ କୁକୁଡା ଡାକେ
ସକାଳ ହେଲା ମିତ ।
ଟପ ଟପ କରି ଗୋବର ପାଣି
ପକାଇ ଝାଡୁ ଧରି
ଦାଣ୍ଡ ଅଗଣା ବୋଉ ମୋ ଝାଡେ
ବିଛଣା ଦିଅ ଛାଡି ।
ଗାଈ ଗୁହାଳୁ ବାଛୁରୀ ଧାଏଁ
କଅଁଳ ଖରା ଦେଖି
ଖୁସି ମନରେ ଦୌଡ ମାରେ
ଚଗଲା ମଳେ ଆଖି ।
ପପୁ କୁକୁର ଜଗିଛି ଘର
ଭାରି ବିଶ୍ବାସୀ ସିଏ
ଚୋରର ଡର ଜାଣିଛ ପିଲେ
ତା ପରି ହେବ କିଏ ।
ବଳଦ ଯୋଡା ଖାଇକି ନଡା
ଅଳସ ଛାଡି ଦେଇ
ଚାଷ କରିବେ ଆମରି ପାଇଁ
କାନ୍ଧେ ଲଂଗଳ ବୋହି ।
ପୁଷି ବିଲେଇ ଭାରି ଓଲେଇ
ସଫା ସୁତୁରା ଖୋଜେ
ନାହିଁ ଅତର ସାବୁନ ଲୋଡା
ଶୋଇପଡିବ ଶେଜେ ।
ଆମରି କଥା ଆମକୁ କୁହେ
ଆମରି ମିତ ପିଲେ
ଜୀବ ଜଗତ ଆମରି ବଂଧୁ
ଯତନ ନିଅ ଭଲେ ।
ସ ଅଳ ଉଠ ନକର ମଠ
ପାଠ ପଢିଲେ ବସି
ସକାଳ ପାଠ ମନେ ରହିବ
ଗୁରୁଜୀ ଦେବେ ହସି ।
