ଆମେ ରେ ଅମୃତ ସନ୍ତାନ
ଆମେ ରେ ଅମୃତ ସନ୍ତାନ
ଅମୃତମୟ ଏଇ ଧରା ପ୍ରଭୁ
ଅମୃତ ତୁମର ସୃଷ୍ଟି
ଶ୍ରେଷ୍ଠ ସୃଷ୍ଟି ତୁମ ଏ ମଣିଷ ଜାତି
ଦେଇଛ ଅମୃତ ଢ଼ାଳି ।
ତୁମରି ଅମୃତ ପରଶେ ଦେଇଛ
ପଞ୍ଚେନ୍ଦ୍ରୀୟ କର୍ମ ପାଇଁ
ଅମୃତ ସନ୍ତାନ ମଣିଷ ପାଇଁ କି
କର୍ମ ଯୋଗ ଗଲ କହି ।
ଆମେ ତ ଅମୃତ ସନ୍ତାନ ଅଟୁରେ
ଅମୃତ ଧାରାରେ ସିକ୍ତ
ସେ ଧାରାରେ ଆମେ ଧୌତ କରି ଦେବା
ସଂସାରର ଯେତେ ଦୁଃଖ ।
ଆମେ ଅଟୁ ପରା ଅମୃତ ସନ୍ତାନ
ବିଚାର ବିବେକେ ପୂର୍ତ୍ତି
ସେ ବିବେକ ବୋଧ ବିଚାର ଧାରାରେ
ଜୀବ ଗାଉ ଶାନ୍ତି ଗୀତି ।
ଆମେ ତ ଅଟୁରେ ଅମୃତ ସନ୍ତାନ
ହେବୁ ଦୁଃଖୀର ସହାୟ
ବସୁଧୈକ କୁଟୁମ୍ବେ ର ଚିନ୍ତନରେ
ପରଶିବୁ ସେବା ଭାବ ।
ଆମେ ତ ଅଟୁରେ ଅମୃତ ସନ୍ତାନ
ସର୍ବ ସୁଖେ ସୁଖି ହେବୁ
ସର୍ବେ ଭବନ୍ତୁ ସୁଖୀନଃ ମନ୍ତ୍ରଟିକୁ
ହୃଦଗତ ଯେ କରି ଯିବୁ ।
ଆମେ ତ ସଭିଏଁ ଅମୃତ ସନ୍ତାନ
ଅମୃତ ପରଶ ଦେବା
ସେଇ ପରଶରେ ଲିଭିଯିବ ଯେତେ
ନିରାଶା ର ମରୁ ଖରା ।
ଆମେ ଅଟୁ ପରା ଅମୃତ ସନ୍ତାନ
ସ୍ନେହ ଶ୍ରଦ୍ଧା ବାଣ୍ଟି ଯିବା
ଅମୃତ ପ୍ରେମର ବରଷା କରିବା
ଆପଣା ପର ଭୁଲିବା ।
ଆମେ ପରା ଅଟୁ ଅମୃତ ସନ୍ତାନ
ମାତୃ ଗର୍ଭ ଯୋଗ ଭୁଲିବାନି
ପରମାତ୍ମା ଙ୍କର ଅମୃତ ଦାନକୁ
କେବେ ଅପମାନ କରିବାନି ।
ଆମେ ତ ଅଟୁରେ ଅମୃତ ସନ୍ତାନ
ଶ୍ରଦ୍ଧା ସୁମନରେ ଭରା
ବିବେକକୁ ସଦା ଜାଗ୍ରତ ରଖିବା
କର୍ତ୍ତବ୍ୟ କର୍ମ କରିବା ।
ଆମେ ତ ଅମୃତ ସନ୍ତାନ ଅଟୁରେ
ଏଇ ସୃଷ୍ଟିର ଆଧାର
ପ୍ରେମ ପରଶ ରେ ସ୍ନେହ ଆଶ୍ଳେଷ ରେ
ସୃଷ୍ଟି ହେବ ପ୍ରିତୀ ମୟ।
ଆମେ ତ ଅଟୁରେ ଅମୃତ ସନ୍ତାନ
ଆମ ପିତା ପରମେଶ
ତାଙ୍କରି ଅମୃତ ଧାରା ବୁହାଇବା
ଖୁସୀ ହେବ ଜଗଦୀଶ ।
ଅମୃତ ସ୍ରୋତକୁ ଶୁଷ୍କ କରିବାନି
ଭୁଲିଯିବା ଘୃଣା ଦ୍ୱେଷ
ଆମେ ତ ଅଟୁରେ ଅମୃତ ସନ୍ତାନ
ଦେବାରେ ନୂଆ ସନ୍ଦେଶ ।
ଗୁରୁ ଜନେ ଭକ୍ତି ଲଘୁ ଜନେ ସ୍ନେହ
ବାଣ୍ଟି ଯିବା ଏ ସଂସାରେ
ଅମୃତ ମୟ ହେବ ଏଇ ଧରା
ସର୍ବେ ରହିବେ ଶାନ୍ତିରେ ।
ଆମେ ତ ଅଟୁରେ ଅମୃତ ସନ୍ତାନ
ସଂସ୍କାର ଆମର ଭିତ୍ତି
ଶତ ଧନ୍ୟବାଦ ଦେଉଛୁ ପ୍ରଭୁଙ୍କୁ
ମୁଣ୍ଡ ପାତି ତାଙ୍କ କତି ।
ମଣିଷ ଜନମ ଦୁର୍ଲଭ ଜନମ
କେବେ ବିଫଳ ନ ହେଉ
ଆହେ ସୃଷ୍ଟି କର୍ତ୍ତା ହେ ପରମପିତା
ଜନମ ସାର୍ଥକ ହେଉ
