ଆମେ ପ୍ରେମପକ୍ଷୀ
ଆମେ ପ୍ରେମପକ୍ଷୀ
ଅଚିହ୍ନା ମଣିଷ ତୁମେ
ହେଲ ପରିଚିତ
ତୁମ ପାଇଁ ହୃଦୟ ମୋ'
କାହିଁ ବ୍ୟାକୁଳିତ ।
କବି ତୁମେ ଗଢିପାର
ଭାବ କୋଷାଗାର
କରତାଳି ଫୁଲମାଳ
ତୁମ ଉପହାର ।
ତୋଳିପାର ଶବ୍ଦସୌଧ
ଆକାଶ ବକ୍ଷରେ
ଛୁଇଁପାର ଜହ୍ନ ତାରା
ଲେଖନ ମୁନରେ ।
ବଣମଲ୍ଲୀ ସଦୃଶ ମୁଁ
ନୀରବ ମନରେ
ଭାବାବେଗ ଠୁଳ କରି
ଲେଖେ କବିତାରେ ।
ଭେଟହେଲା କେଉଁ ଏକ
ଶୁଭ ମୁହୂର୍ତ୍ତରେ
ବାନ୍ଧିହେଲା ହୃଦୟଟା
ବନ୍ଧୁ ସମ୍ପର୍କରେ ।
ଭାବନାର ଖିଅ ଯୋଡି
କବିତାଟି ଲେଖି
ପଚାରିଲ ସ୍ମିତାହାସେ
କୁହ ଟିକେ ଦେଖି ।
କିବା ଆଉ ରହିପାରେ
ମୋର କବୀପ୍ରାଣ
ଯୋଡ଼ିଦେଲି ପଦଟିଏ
ଦେଇ ଶବ୍ଦ ଧ୍ୟାନ ।
କବିତ୍ୱର କାରାଗାରେ
ମୋ' ଜୀବନ ବନ୍ଦୀ
ଅଜାଣତେ ପୀରତିରେ
ହୋଇଗଲ ଛନ୍ଦି ।
ମିଳାମିଶା ଗପସପ
ଭାବ ଦିଆନିଆ
ଶିହରଣେ ରୋମାଂଚିତ
ପ୍ରୀତି ମଗ୍ନ ହିଆ ।
ଆଖି ପରେ ଉଇଁଥିବା
ସପନର ଚିତ୍ର
ପ୍ରେମରଙ୍ଗ ବୋଳିଦେଇ
କରିଦେଲ ସତ ।
ପ୍ରଥମ ପ୍ରେମର ଡାଳେ
ଆମେ ପ୍ରେମପକ୍ଷୀ
ବସାଟିଏ ଗଢ଼ିଦେଲେ
ବିଶ୍ୱାସ ହିଁ ସାକ୍ଷୀ ।

