ଆମ ପ୍ରେମ
ଆମ ପ୍ରେମ
ଆମ ପ୍ରେମ ନ ହେଉ ସ୍ବର୍ଗୀୟ
ନର୍କର ଜୀବଟିଏ ଭଳି
ତମେ ଥିଲେ ପାଖେ ପାଖେ ମୋର
ଦୁନିଆ କହିବ ନିଶ୍ଚେ
ଶାଶ୍ବତ ପ୍ରେମ ଆମ ହୋଇବ ଅମର ।
କିଏ ଜାଣେ ସ୍ବର୍ଗ ଆଉ ନର୍କ ର ସଂଜ୍ଞା
କୁହ କିଏ କାଳ ଡାକ କରିଛି ଅବଜ୍ଞା
କିନ୍ତୁ ପ୍ରେମ ମାନେନାହିଁ ବାଡ
ପ୍ରେମ ଠୁଁ ପ୍ରେମର ନିଶା ଅତି ଭୟଙ୍କର
ଶାଶ୍ବତ ପ୍ରେମ ଆମ ହୋଇବ ଅମର ।
ନୀଳ ଜହ୍ନ ନୀଳ କଇଁ ଆକାଶ ନୀଳିମା
ସତେ ଅବା ଜ୍ୟୋତ୍ସ୍ନାଭିଜା ପୂର୍ଣ୍ଣିମା ପୂର୍ଣ୍ଣିମା
ତମ ଦେହ ଋପକାନ୍ତି
ଅନନ୍ୟ ଅନୁପମା ପ୍ରୀତିର ସମ୍ଭାର
ଶାଶ୍ବତ ପ୍ରେମ ଆମ ହୋଇବ ଅମର ।
ଚାହିଁ ଦେଲେ ଛାତି ଯାଏ ଚିରି
ଛୁଇଁ ଦେଲେ ଜଳିଗଲା ଭଳି
ତୋ ଋପ ଅଙ୍ଗ ଶୌଷ୍ଠବେ
କୋଣାରକ ପ୍ରୀତି ଅଭିସାର
ଶାଶ୍ବତ ପ୍ରେମ ଆମ ହୋଇବ ଅମର ।
ବାୟାଣୀ ତୁ ହେବୁନି ଲୋ ଜମା
ନହୁଅ ଶ୍ରୀରାଧା ତୁହି ନହୁଅ ଗୋ ମୀରା
ମୋ'ପାଇଁ ତୋ' ମୁକୁଳା କେଶ
ଆଜି ବି ଲାଗେ ଧନ ଅଧିକ ସୁନ୍ଦର
ଶାଶ୍ବତ ପ୍ରେମ ଆମ ହୋଇବ ଅମର ।
ଜାଣ ତୁହି ପ୍ରୀତି ପଥ ଅତି ଭୟଙ୍କର
ଜୀବନ ଜିଇଁବା କଳା - ଖୁବ୍ କଷ୍ଟକର
ଦୁନିଆ ତ ଦୁଇ ପଟେ ନିଆଁ
ସେ ନିଆଁରେ ବଞ୍ଚିବାର ଶ୍ରେୟ
ଶାଶ୍ବତ ପ୍ରେମ ଆମ ହୋଇବ ଅମର ।
ନ ହୁଅ ତୁ ଆକାଶର ସ୍ବର୍ଣ୍ଣିମ ଜହ୍ନ
ମୋ'ଗାଁ ଘରବାଡି ଚହଲାପାଣିକୁଣ୍ଡେ
ହେଲେ ହୁଅ ତା' ପ୍ରତିଫଳନ
ସମ୍ପର୍କ - ଏ ପ୍ରୀତିର ଅଭେଦ
ଶାଶ୍ବତ ପ୍ରେମ ଆମ ହୋଇବ ଅମର ।
ରାଗିବୁନି ବାଛିବୁନି ମୋ'କଥା ବାଛ କି ବିଚାର
ଅଭିମାନ ଶ୍ରେୟ ଆଉ ସ୍ବାଭିମାନ ସ୍ବର
ଭଲ ପାଏ ଆକାଶ ଠୁଁ ବେଶୀ
ତୁହି ମୋ' ଭାବନା ସ୍ବପ୍ନ ଆଗାମୀ ଦିନର
ଶାଶ୍ବତ ପ୍ରେମ ଆମ ହୋଇବ ଅମର ।

