STORYMIRROR

Pratima Satpathy

Classics

4  

Pratima Satpathy

Classics

ଆଲୋକର ପର୍ବ ଦୀପାବଳି

ଆଲୋକର ପର୍ବ ଦୀପାବଳି

1 min
410


ପୁଣ୍ୟ କାର୍ତ୍ତିକର ଅମାବାସ୍ୟା ତିଥି 

    ଦୀପାବଳୀ ନାମେ ଖ୍ୟାତ

ପୁର,ପଲ୍ଲୀ,ଗ୍ରାମ, ନଗର, ସହର

    ଦୀପ ଜ୍ୟୋତି ପ୍ରଜ୍ଜ୍ଵଳିତ।

ଦୀପାବଳୀ ପର୍ବ ପାଳନ୍ତି ସମସ୍ତେ

    ଖୁସିରେ ହୋଇ ବିଭୋର

ପିଠା, ମିଠା, କ୍ଷୀରି, ଖେଚୁଡ଼ି ବ୍ୟଞ୍ଜନ

    ହୁଏ ନାନା ପ୍ରକାରର।

ରଙ୍ଗ ବେରଙ୍ଗର ଆଲୋକରେ ସଜ୍ଜା

    ହୋଇଥାଏ ଘରଦ୍ୱାର

ଜ୍ଞାନର ପ୍ରଦୀପ ଅଜ୍ଞାନ ଅନ୍ଧାର

    କରି ଦେଇଥାଏ ଦୂର।

ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ପିଣ୍ଡ ଦାନ 

    ହର୍ଷ ମନରେ କରନ୍ତି

କାଉଁରିଆ କାଠିରେ ନିଆଁ ଲଗାଇ

    ବଡ ବଡୁଆ ଡାକନ୍ତି।

ମାଆ ଶ୍ୟାମା କାଳୀଙ୍କର ପୂଜା ହୁଏ

    ଷୋଡ଼ଶ ଉପଚାରରେ

ତମସା ହଟାଇ ଜ୍ଞାନ ପ୍ରଜ୍ବଳିତ

    ହେବ ମାନବଙ୍କ ଠାରେ।

ଦମ୍ଭ, ଦର୍ପ, ଗର୍ବକୁ ଜ୍ଞାନ ଖଡ୍ଗରେ

    ମାଆ କରିବେ ବିନାଶ

ଅସତ୍ୟ ଉପରେ ସତ୍ୟର ବିଜୟ

   କରିବେ ହୋଇ ହରଷ।

ସୂର୍ଯ୍ୟଙ୍କ କିରଣେ ଶିଶିର ଯେପରି

    ହୋଇଯାଇଥାଏ ନାଶ

ମାଆଙ୍କର ଆଗମନରେ ସେପରି

   ଅସୁର ହେବେ ବିନାଶ।

ପ୍ରଭୁ ରାମଚନ୍ଦ୍ର ବନରୁ ଅଯୋଧ୍ୟା

    ଏହି ଦିନ ଫେରିଥିଲେ

ପ୍ରତିଦ୍ୱାରେ ଘୃତ ଦୀପ ପ୍ରଜ୍ବଳନ

    ଗ୍ରାମବାସୀ କରିଥଲେ।

ସେହିଦିନଠାରୁ ଦୀପାବଳୀ ପର୍ବ

    କରୁଅଛନ୍ତି ପାଳନ 

 ବ୍ୟବସାୟୀ ନୂଆ ବ୍ୟବସାୟ କରି 

    କରନ୍ତି ଲକ୍ଷ୍ମୀ ପୂଜନ ।  

ସତ୍ୟ ଯୁଗେ ପ୍ରଭୂ ନରସିଂହ ରୁପେ

    ସ୍ଥମ୍ଭରୁ ହୋଇ ପ୍ରକଟ

ଏହି ଦୀପାବଳୀ ଦିନ କରିଥଲେ

   ହିରଣ୍ୟ କଶିପୁ ହତ।

ପୁଣ୍ୟ ଦୀପାବଳୀ ପ୍ରୀତିର ଦିପାଳି

     ଘରେ ଘରେ ଉଠୁ ଜଳି

ସୁଖ, ଶାନ୍ତି, ମୈତ୍ରୀ, ଆନନ୍ଦ ସନ୍ତୋଷ

    ସମସ୍ତଙ୍କୁ ଯାଉ ମିଳି।

ବୈଜ୍ଞାନିକ ମତେ କ୍ଷେତରୁ କୀଟ ଓ

    ପୋକ ବିନାଶ ହୋଇବ 

ଆଲୋକ ଶିଖାରେ ପତଙ୍ଗ ମରିବେ

    ଶସ୍ୟର ସୁରକ୍ଷା ହେବ।

ପିଲାଙ୍କର ଖୁସି କହିଲେ ନ ସରେ

   ଆନନ୍ଦିତ ମନ ପ୍ରାଣ

ପିଠା,ମିଠା, ଖାଇ ସାଙ୍ଗ ସାଥି ହୋଇ

    ଫୁଟାନ୍ତି ବିଭିନ୍ନ ବାଣ।

ଝରଝରି ଆଉ ଧପ୍ ଧପୀ ଜାଳି

    ଚକିରି ବାଣକୁ ମାରି

ଖେଳ କୌତୁକରେ ମଜ୍ଜି ଯାଇଥାନ୍ତି

    ହସୁଥାନ୍ତି କିରିକିରି।

ବାଣରେ ବାରୁଦ ଭରି ରହିଅଛି

    ଶରୀର ପାଇଁ ଅହିତ

ରାସାୟନିକ ବାଣ ଫୁଟା ଅଟଇ

   ସଂସାର ପାଇଁ ବିଷାକ୍ତ।

ତାଳ ଫୋଟକା, ରକେଟ, କୁମ୍ପି ବାଣ

    ଫୁଟାଇବନି ପିଲାଏ

ବଡ ଭୟଙ୍କର ଅଟେ ଏହି ବାଣ

    ବିସ୍ଫୋରଣ ହୋଇଥାଏ।

ଧନ ଜୀବନକୁ ନଷ୍ଟ କରିଦିଏ

      ବାଣ ବିସ୍ଫୋରଣ ଜାଣ

ଆଲୋକର ପର୍ବ ଅଟେ ଦୀପାବଳୀ

     ଆନନ୍ଦେ କର ପାଳନ।

ଦୀପ ଠାରୁ ଶିଖ ଆଲୋକ ପ୍ରଦାନ

    ଅନ୍ୟର ମଙ୍ଗଳ କର

ମନୁଷ୍ୟ ଜୀବନ ସାର୍ଥକ ହୋଇବ

    କଲେ ପର ଉପକାର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics