ଆକସ୍ମିକ ଅମାବାସ୍ୟା
ଆକସ୍ମିକ ଅମାବାସ୍ୟା
ଜହ୍ନ ଲୋ, ତୁ ପରା ରଜନୀରାଣୀର
ମଧୁ ଯାମିନୀ ସଙ୍ଗିନୀ,
ସାୟଂକାଳରେ ତୁ ସନ୍ଧ୍ୟାରାଣୀ କୋଳ
ସ୍ନେହାପ୍ଲୁତା ସୀମନ୍ତିନୀ ।
ପୂର୍ଣ୍ଣିମାରେ ପୂର୍ଣ୍ଣ- ପ୍ରାଣା,ପ୍ରଣୟିନୀ
ଜ୍ୟୋତ୍ସ୍ନାର ମୃଦୁ ଛଟାରେ,
ରଙ୍ଗ ଭରିଦେଉ ଶୁଭ୍ର ସନ୍ତର୍ପଣେ
ଜୋଛନାର ଅଭିସାରେ ।
ଅଭିସାରିକା ତୁ ଅନନ୍ତ ଆକାଶ
ତୋ' ହସର ଧାରେ ଧାରେ,
ପ୍ରୀତି ବାଢ଼ିଦିଏ ପ୍ରଣୟ ନୃତ୍ୟର
ଭଙ୍ଗୀରେ,ନୀଳ ସାଗରେ ।
ଆକାଶ ସାଗର ମହାମିଳନର
ଅପୂର୍ବ ସଙ୍ଗୀତ ଗାଏ,
ସେଇ ସଙ୍ଗୀତର ସୁର ରାଗିଣୀରେ
ପ୍ରକୃତି ବିଭୋର ହୁଏ ।
ଶାରଦୀୟ ଜ୍ୟୋତ୍ସ୍ନା ଅବିକଳ୍ପ ତୃଷ୍ଣା
ପ୍ରେମୀଯୁଗଳ ପ୍ରଣୟ,
ସିକ୍ତ ସୁରଭିରେ ସୌଭାଗ୍ୟଶାଳିନୀ
ପ୍ରେମୀଙ୍କ ପ୍ରାଣ ମୃଣ୍ମୟ ।
ଜହ୍ନରେ କଳଙ୍କ ଅଙ୍କ ଅଳଙ୍କାର
ବିଧାତାଙ୍କ ବରଦାନ,
ସେଇଥିପାଇଁ ତା' କଳଙ୍କକୁ ନେଇ
ସୁନ୍ଦରୀ ସେ ସର୍ବାଙ୍ଗୀନ !
କଳଙ୍କ ନ ଥାଇ ସନ୍ଦେହ ପଣରେ
ନାରୀ ହୁଏ କଳଙ୍କିତା,
ହେଲେ ବି ସାଧବୀ ମର୍ତ୍ତ୍ୟର ମାନବୀ
ହେବ କି ଅପରାଜିତା ?
ଜହ୍ନ ଲୋ,ସତେ ତୁ ଲାସ୍ୟ ମନ୍ଦାକିନୀ
ରୂପରେ ଲାବଣ୍ୟବତୀ,
ରାଜନନ୍ଦିନୀ ତୁ ପ୍ରଥା- ବନ୍ଦିନୀ ମୁଁ
ସତୀ ହୋଇ ବି ଅସତୀ ।
ସତ୍ୟ ଅସତ୍ୟର ବଶ୍ୟ ବଳୟରେ
ସତ୍ୟ ହୁଏ ଆଜ୍ଞାଧୀନ,
ଅଦ୍ଭୁତ ମଣିଷ ବିଚିତ୍ର ତାହାରି
ସାମାଜିକ ସମ୍ବିଧାନ !
ମୁଷ୍ଟିମେୟ କିଛି ବ୍ୟକ୍ତି ବଳାତ୍କାରେ
ସମାଜ ସଦା ଲୁଣ୍ଠିତ,
କୁହ ଲୋ ଚନ୍ଦ୍ରମା ! ସୁରକ୍ଷିତ କେହ୍ନେ
ରଖିବି ମୋ'ର ସତୀତ୍ବ ?
ମୋ' ସତୀତ୍ବ କୋଳ ନିର୍ମଳ ହେଲେ ବି
ଅହର୍ନିଶ ଅମାବାସ୍ୟା,
ସେଇଥିପାଇଁ ତ ନିରୀହା ବୈଦେହୀ
ଆଜୀବନ ଅଭିଶପ୍ତା ।
ଅମାବାସ୍ୟା କୋଳେ ତୋ' ପ୍ରୀତି ଚହଳେ
କଳଙ୍କ ତୋ' କଥା କୁହେ,
ମୋ' କଳଙ୍କ ପରା ବୃଥା ଅଭିଶପ୍ତା
ତା' କଥା ବୁଝିବ କିଏ !
ମର୍ତ୍ତ୍ୟରେ ନାରୀତ୍ବ ପ୍ରଥା ପ୍ରପୀଡ଼ିତ
ଅସୂୟା ଅସୂର୍ଯ୍ୟଂପଶ୍ୟା,
ସେଇଥିପାଇଁ ତା' ପୂର୍ଣ୍ଣିମା ପଣରେ
ଆକସ୍ମିକ ଅମାବାସ୍ୟା ।