ଆଖି ଥାଇ ଅନ୍ଧ
ଆଖି ଥାଇ ଅନ୍ଧ
ପାଇଛୁ ଜନମ ମନୁଷ୍ୟ ଜୀବନ
ଦୁର୍ଲ୍ଲଭ ଜୀବନ ଯହିଁ,
ଧାତା କରିଅଛି ଜ୍ଞାନରେ ଭୂଷିତ
ମନୁଷ୍ୟ ଜୀବନ ତହିଁ।
ତଥାପି ମନୁଷ୍ୟ କରୁଛି ଦୁର୍ନୀତି
ଲୋଭ ମାୟାମୋହେ ପଡି,
ସ୍ବାର୍ଥରେ ଜଡ଼ିତ ରହିଅଛି ନିତ୍ୟେ
ରହିଛି ପାପରେ ଯୋଡ଼ି।
ଆଖି ଥାଇ ଅନ୍ଧ କହିବା ତାହାରେ
କରୁଥାଏ ହୀନ କାର୍ଯ୍ୟ,
ଧରିଥାଏ ସେହୁ ଦାନବ ପ୍ରବୃତ୍ତି
କରେଟି ଅନ୍ୟାୟ କାର୍ଯ୍ୟ।
ମନୁଷ୍ୟ କର୍ତ୍ତବ୍ୟ ଜନତା କଲ୍ୟାଣ
କରେନାହିଁ ସେବୁଦିନେ,
ଠକାଠକି କାର୍ଯ୍ୟ କରେ ସମାଜରେ
ଠକୁଥାଏ ନିଜ ଜନେ।
ଶାସ୍ତ୍ରର ବଚନ କରେ ତିରସ୍କାର
ଅସତ୍ୟ ବାଟରେ ରହି,
କରେ ପଶୁହତ୍ୟା ଧରିଣ ଜୀବିକା
ଅନ୍ଧ ଜ୍ଞାନଶୁନ୍ୟ ସେହି।
ଜାଣି ଅଛି ସେହୁ ଜୀବହତ୍ୟା ପାପ
ତଥାପି କରୁଛି ହତ୍ୟା,
ନୁହେଁରେ ମନୁଷ୍ୟ
ପଶୁର ପ୍ରବୃତ୍ତି
କରେ କର୍ମ ଜୀବହତ୍ୟା।
ଅନ୍ଧ ହିଁ କହିବା ଏପରି ଜନକୁ
ଆଖି ଥାଇ ସେହୁ ଅନ୍ଧ,
ମନୁଷ୍ୟ ଜୀବନ ବୃଥା କରୁଅଛି
କିପରି ସାଜିଛି ଅନ୍ଧ।
ସ୍ବାର୍ଥରେ ଜଡ଼ିତ ରହିଛି ସର୍ବଦା
ନାହିଁ ରାଷ୍ଟ୍ର ଭକ୍ତି ଦିନେ,
ନାହିଁ ପ୍ରଭୁ ସେବା ଦୈନିକ ଜୀବନେ
ଜଗା ଭକ୍ତି ନାହିଁ ଦିନେ।
କାର୍ଯ୍ୟ ଦିନରାତି ନିଜ ଲାଭ ପାଇଁ
ନାହିଁ ଜନରାଷ୍ଟ୍ର ଚିନ୍ତା,
ନାହିଁ ଜନସେବା ଜୀବନ ଜାତକେ
ସର୍ବଦା ନିଜର ଚିନ୍ତା।
ରାଷ୍ଟ୍ରର ଗୌରବେ ଖୁସି ନାହିଁ ଦିନେ
କରୁଥାଏ ଆଲୋଚନା,
ଶତ୍ରୁ ଦେଶ ସଙ୍ଗେ ସଙ୍ଗତ ହୋଇଣ
ରଖିଛି ଶତ୍ରୁ ଭାବନା।
ମନୁଷ୍ୟ ନୁହେଁରେ ରାଷ୍ଟ୍ରେ ଶତ୍ରୁ ଭାବ
ଅନ୍ଧ ପରି ଯାର କାର୍ଯ୍ୟ,
ପାତ୍ର ବିଶ୍ବାସର ନୁହେଁଟି କେବେରେ
କରୁଛି ଦାନବ କାର୍ଯ୍ୟ।
ମନବୃତି ତାର ରାଷ୍ଟ୍ରର ବିରୋଧ
କର ବହିଷ୍କାର ତାରେ,
ଆଖି ଥାଉ ଅନ୍ଧ କାର୍ଯ୍ୟ ଯେହୁ କରେ
ଦଣ୍ଡିତ କରିବା ତାରେ।