ଆଖି ଆଉ ଦୁନିଆ
ଆଖି ଆଉ ଦୁନିଆ
କାହିଁକି ତୁମେ ମତେ ଏମିତି ନିନ୍ଦୁଛ,
କଳଙ୍କି ଲାଗି ଲାଗି...
ସିନ୍ଦୁକରେ ସାଇତା ଦ୍ରବ୍ୟ ସଢ଼ି ଗଲାଣି ।
ହେଲେ....
ମୋର ଭୁଲ କଅଣ?
ସିନ୍ଦୁକର ଚାବି ପରା ତମ ପାଖରେ ।
ତମେ କଅଣ ଭାବୁଛ...
ଏ ଆଖି ନଦେଖୁ ବୋଲି,
ମୋ ଆଖିରେ ପୁଟ୍ଟଲ ବାନ୍ଧି,
ଛିନ୍ନ କରିଦେବ ମୋ ଅସ୍ତିତ୍ୱ !
ଆଖି ବନ୍ଦ ଥିଲେ ବି....
ମୁଁ ଶ୍ରବଣ କରିପାରେ,
ସତର୍କ ହେଇଯିବି...
ତୁମ ପାଦ ଧ୍ବନି ଶୁଣି ।
ଏ ଆଖି ଅଭିନୟ କରେ,
ହେଲେ ବୋକାଟା...
ଅଭିନୟ ଆସେନି ତାକୁ,
ଧ୍ବନି ବିନା ବି ସବୁ କହିଯାଏ ।
ଏତେ ନିଷ୍ଠୁର ସିଏ...
ନିଜ ମନର ଦୁଃଖ ଦେଖେନି,
କିନ୍ତୁ,
ସାମର୍ଥ୍ୟରେ ହଉ କି ଅସମର୍ଥରେ,
ଅନ୍ୟର ଦୁଃଖ ଦେଖି...
କେଇଟୋପା ଲୁହ ଢାଳିଦିଏ ।
ତେଣୁ...
ବନ୍ଦ କର ଦୋଷାରୋପ,
ଯଦି....
ମୁଠାଏ ସ୍ବପ୍ନ ଦେଇପାରିବନି,
ତାହେଲେ...
ମୁଁ ଦେଖିଥିବା ସ୍ୱପ୍ନକୁ...
ଏମିତି ଧୂଳିସାତ କରନି ।