STORYMIRROR

ଅନିଲ କୁମାର ଲେଙ୍କା

Inspirational

3  

ଅନିଲ କୁମାର ଲେଙ୍କା

Inspirational

ଆକାଶ

ଆକାଶ

1 min
203

ଆକାଶକୁ ଦେଖି ଅନୁଭବ ହେଲା

    କିଛି ବି ତାହାର ନୁହେଁ

ବିସ୍ତାରିତ ନୀଳ ନୀଳିମା ଗଗନେ

    ନିରବ କେବଳ ରହେ ।।

ନିଜର ବୋଲି ତ କିଛି ନାହିଁ ତାର

     ନାହିଁ ତା ନିଜସ୍ୱ ରଙ୍ଗ

ନିଜର ଆକାର ଅବା ଉପସ୍ଥାନ

    ସବୁ ଯେମିତି ନିଃସଙ୍ଗ ।।

ସବୁ ନିଃସ୍ୱତାକୁ ଏଡାଇବା ପରେ

    ଶୋଭାମୟ ତା ଦିଗନ୍ତ

ବିଶାଳ ତ କମ୍ ପଡେ ମାପିବାକୁ

    ଅନ୍ତହୀନ ସେ ଅନନ୍ତ ।।

ମହାଶୂନ୍ୟ ଢାଙ୍କେ ନୀଳାଭ ଚାଦର

     ଉଲଗ୍ନ ଶରୀରେ ତାର

ପ୍ରଭାତ ପ୍ରଦୋଷେ ରୂପକାନ୍ତି ପୁଣି

    ମନ ମୋହି ନିଏ ମୋର ।।

ସୂର୍ଯ୍ୟଠାରୁ ଆଣି ପ୍ରୀତିର ନାଲିମା

      ଦିବସ ସେ ବିଞ୍ଚିଦିଏ

ପ୍ରାଣଦାୟୀ ଉଷ୍ଣ ଶକ୍ତିରେ ପୂରିତ

    ଜଗତ କଲ୍ୟାଣ ହୁଏ ।।

ଶୀତଳତା ଭରି ପ୍ରାଣୀ ହୃଦୟରେ

    ଜୋଛନା ବିଛାଡି ଯାଏ

ରାତ୍ରିର ଚନ୍ଦ୍ରମା ବିରହୀ ପ୍ରାଣରେ

    ପୁଲକ ତ ଭରି ଥାଏ ।।

ବର୍ଷା ଆସେ ଆକାଶର ଅଗଣାରେ

    ଚିତ୍ରକର ଆଙ୍କେ ଚିତ୍ର

ବାଦଲର ରଙ୍ଗେ ଦେଖାଯାଏ ପୁଣି

    ତା ରୂପ ବଡ ବିଚିତ୍ର ।।

ଶୀତଳାଇ ଦିଏ ଆକାଶର ଛାତି

    ବାରୀଦର ନିର ବୁନ୍ଦା

ଟିକେ ଡେରିହେଲେ ସହିବାକୁ ହୁଏ

    ଜଗତ ଜନର ନିନ୍ଦା ।।

ଆକାଶ ତ ଅଟେ ମହାଦାନୀ ବନ୍ଧୁ

    ରଖେନି କିଛି ସାଇତି

ସୂର୍ଯ୍ୟର ଉଷ୍ଣତା ଚାନ୍ଦର ଜୋଛନା

    ସବୁ ବାଣ୍ଟିଥାଏ ନିତି ।।

ନିର୍ଲୋଭ ନିର୍ମାୟା ନିର୍ଲିପ୍ତ ଯୋଗୀର

    ବିଶାଳତା ବଡ ନୁହେଁ

ବିଶାଳ ହୃଦୟ ଜଗତରେ ସାର

   ଆକାଶ ଏ କଥା କହେ ।।

ଆକାଶକୁ ଦେଖି ତା’ଠାରୁ ଶିଖିବା

     ମହତ ଗୁଣକୁ ତାର

ସବୁରି ଉର୍ଦ୍ଧ୍ୱରେ ଥାଇ ଦୟାବାନ

    ଅଟେ ନିର୍ଲିପ୍ତ ଅମ୍ବର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational