ଆକାଶ ଆଖିର ଲୁହ
ଆକାଶ ଆଖିର ଲୁହ
ଆକାଶ କୁ ଦିନେ ଚାହିଁ ମୁଁ ଭାବିଲି କେଡେ ସୁଖୀ ସତେ ସେଇ
କୋଟି କୋଟି ତାରା ମେଳରେ ଜହ୍ନଟା ଖେଳୁଥିଲା ଖୁସି ହେଇ।
ପକ୍ଷୀ ଉଡୁଥିଲେ ଆନନ୍ଦେ ଆକାଶେ ଖୋଜୁଥିଲେ ବାଟ ବସାକୁ
ଦଳ ଦଳ ହେଇ ବାଦଲ ଗୁଡାକ ଭାସି ଯାଉଥିଲେ ଦୂରକୁ।
କେତେ କେତେ ଗ୍ରହ, ତାରା ସୂର୍ଯ୍ୟ ଚନ୍ଦ୍ର, ତା ସାଙ୍ଗେ ମେଘର ଭାବ
ଏତେ ଏତେ ବନ୍ଧୁ ପାଶେ ଥାଇ ନିଶ୍ଚେ ଆକାଶଟା ଖୁସି ଥିବ।
ମୋ ଚାହାଣି ଦେଖି ଆକାଶଟା ବୋଧେ ବୁଝିଗଲା ମନ କଥା
ମୁରୁକି ହସିକି ଚାହିଁ ମୋ ମୁହଁକୁ ବଖାଣିଲା ତାର ବ୍ୟଥା।
ନିରେଖି ଚାହିଁଲି ଦିଗବଳୟ ଆଡେ ଦିଶିଲା ଦେଶର କପାଳ
ଭିଜିଲା ମାଟିର ଶୁଖିଲା ମୁହଁରେ ମଳିନ ହସର ଖୋଳ।
ଚାଷୀ ଜଗିଥିଲା ଉଜୁଡ଼ା କ୍ଷେତକୁ, ସେନା ଜଗିଥିଲେ ସୀମା
ଦୁହିଁଙ୍କ ଭୋକିଲା ପେଟର ଦରଦ ଖୋଲିଦେଲା ମୋ ଚଷମା।
ନିରୀହ ମୁଖା ଟେ ପିନ୍ଧି କିଛି ନେତା , ରଚାଉଥିଲେ ଯେ ଧ୍ଵଂସ
ଶାଗୁଣା ସଦୃଶ ଖୁମ୍ପି ଖାଉଥିଲେ ଗରିବ ପ୍ରଜାଙ୍କ ମାଂସ।
ପେଟେ ଭୋକ ଧରି ଶିଶୁ ଖଟୁଥିଲା, ସେ ଦୃଶ୍ୟ ଅତି ଦାରୁଣ
ଫୁଲଠୁ କୋମଳ ହାତରେ ଧରିକି ତତଲା ନିଆଁ ର ନିହାଣ।
ଦେଶର ପତାକା ଫର ଫର ହେଇ ଉଡୁଥିଲା ଗରବରେ
ପତାକା ବିକିକି ପିଲାଟିଏ କିନ୍ତୁ ଶୋଇଥିଲା ଉପାସରେ।
ଫର୍ଚ୍ଚା ଆକାଶରେ ଖିଲି ଖିଲି ହେଇ ଜହ୍ନ ଉଙ୍କି ମାରୁଥିଲା
ରାକ୍ଷସ ହାତରେ ଆଜିବି ନାରୀ ଟେ ଇଜ୍ଜତ ହରେଇଥିଲା।
ରକ୍ତର ଦଲାଲ ଦିଶିଲେ ସବୁଠି ମାରିବାକୁ ଜୀଉଁଥିଲେ
ଦିନରେ ସପନ ସଉଦା, ରାତିରେ ନିଦ ନିଲାମ କରୁଥିଲେ।
ପୂଜୁଥିଲେ ଲୋକ ପଥର ଦିଅଁଙ୍କୁ, ଗୋଇଠା ମାରି ବ୍ରହ୍ମକୁ
ହଜି ଯାଉଥିଲା ମଣିଷ ପଣିଆ ମାରୁଥିଲା ବିବେକ କୁ।
ତଥାପି ସକାଳୁ ନିଇତି ଆକାଶ ନୂଆ ସୂର୍ଯ୍ୟଦୟ ନେଇ
ଆଶା ବାନ୍ଧୁଥିଲା ଅଙ୍କୁରିତ ହେବ ଏ ଦେଶ ର ଫଟା ଭୂଇଁ।
ଉପରେ ଥାଇ ସେ ସୁଖେ ଥିବ ନିଶ୍ଚେ ଭାବିଥିଲି ଆକାଶକୁ
ଜାଣି ମୁଁ ପାରିଲି ସଂସାର ର କଷ୍ଟ କରିଥିଲେ ଜଡ଼ ତାକୁ।
ବିଚରା ଆକାଶ ବଖାଣି କହିଲା ତା' ହୃଦୟ ଦୁଃଖ ଦଶା
ଅବୋଧ ମୁଣ୍ଡରେ ବୁଦ୍ଧି ମୋ ପଶିଲା ବେଶି ନୁହେଁ ମୋ ଦୁର୍ଦ୍ଦଶା।