କବିତା - ଆଜ୍ଞାମାଳ
ରଚନା - ପଞ୍ଚାନନ ଜେନା
ତାରିଖ -୯-୬-୨୦୨୫
;;
ସମସ୍ୟା ବହୁଳ ଜଞ୍ଜାଳ ଚଟୁଳ
ସନ୍ତୁଳା ମାଛ ପରିକା
ବିଚାରା ମଣିଷମାନେ
ସନ୍ତୁଳି ହୁଅନ୍ତି ଡହଳ ବିକଳ
କିଏ କହୁଛି କିଏ ନୀରବେ ସହୁଛି
ବାକି ଅଧେଙ୍କ ମୁଁହରେ ଝୁଲୁଛି
ସଂସ୍କାର ରୂପକ ଆଲିଗଡ଼ ତାଲା ସଜଳ
ସମସ୍ତଙ୍କ ଘରେ କୁରୁକ୍ଷେତ୍ର ଯୁଦ୍ଧର
ରଣ ଦୁନ୍ଦୁଭି ଶୁଭେ
ପରିଣତି ଯାହା ବି ହେଉନା କାହିଁକି
କେବେ ପଲାସୀ କେବେ ପାନିପଥ
ରଣଭୂମୀ ମଝିରେ ଜୁଝେ
ଇଚ୍ଛା ଅନିଚ୍ଛାର ଦ୍ୱାହି ଦେଇ
ନୀତି ଅନିତୀର ସଫେଇ କହି
ଧର୍ମ କର୍ମର ବାଣୀ ଶୁଣେଇ
ସତ୍ୟ ନ୍ୟାୟର ଭାଷା ବୁଝେଇ
ନିତି କଳି କଜିଆର ହେଣ୍ଡାଳ ରବେ
ଛାତି ଫଟା ବାକ୍ୟବାଣରେ ଲହୁ ଲୁହାଣ ସର୍ବେ
ତଥାପି
ସଂସାର ଚାଲିଛି ଅନବରତ
ଜୀବନ ଧାଉଁଛି କରି କସରତ
ମଣିଷ ଦୌଡୁଛି ଉଦୟଭାନୁ କାଳରୁ ଅସ୍ତରାଗ ପର୍ଯ୍ୟନ୍ତ ବେଳ ରତରତ
କାରଣ
ନିରାଶା ଭିତରେ କୃଷ୍ଣ ଦୈପାୟନ ବାଣୀ
ସମସ୍ୟା ଘେରରେ ବନ୍ଧୁ ବତ୍ସଳ ଚାହାଣୀ
କପଟ ପାଶା ମଝିରେ ଦୁଃଖି ବାନ୍ଧବ କାହାଣୀ
ଅନୁରଣିତ ହେଉ ଥାଏ
ଗୁଞ୍ଜରିତ ହେଉ ଥାଏ
କେବେ ମନ ଚୈତନ ମଥାନ ଡେଇଁ
କେବେ ଜ୍ଞାନ ବିଜ୍ଞାନ ସଜ୍ଞାନ ଛୁଇଁ
କେବେ ଚୌହଦୀ ପରିଧି ଗୋଲାର୍ଦ୍ଧ ଭୂଇଁ
ଉପରେ କେବଳ ଆଜ୍ଞାମାଳ ଝୁଲୁଥାଏ
କର୍ମବୀର ତୁ
କର୍ମଯୋଗରେ ରଖିଥା ମନଧ୍ୟାନ
ଭାଗ୍ୟଫଳର ହିସାବ ନିକାସ ଖାତା
ମୋ ହାତରେ ପରା
ସରିଲେ ମିଶାଣ ହରଣ
କରିଲେ ଗୁଣନ ଫେଡାଣ
ସର୍ବଶେଷରେ ହେବ ସମାଧାନ ବା ଘମାସାନ